
କେନ୍ଦୁଝର- ଚଳିତ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ପରିପ୍ରେକ୍ଷୀରେ ୧୧ ତାରିଖ ଶନିବାର ଦିନ ସକାଳେ ଏକ ସଚେତନତା ଶୋଭାଯାତ୍ରା ଅନୁÂିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଆଶିଷ ଠାକରେ ଉଦ୍ବୋଧନ ଦେଇ ସଡ଼କ ସୁରକ୍ଷା ସଚେତନତାକୁ କେବଳ ସପ୍ତାହ ପାଳନରେ ସୀମିତ ନ ରଖି ବାସ୍ତବ କ୍ଷେତ୍ରରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ଜାଗ୍ରତ କରାଇବା ଅଙ୍ଗୀକାର ନେଇ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ସଡ଼କ ଦୁର୍ଘଟଣା ବର୍ତମାନ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି । ସଡ଼କ ଦୁର୍ଘଟଣା ଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି । ଅନେକ କ୍ଷେତ୍ରରେ ଉଦାସୀନତା, ବେପରୁଆ ମନୋଭାବ, ମଦ୍ୟପାନ କରି ଏବଂ ଟ୍ରାଫିକ୍ ନିୟମ ଭାଙ୍ଗି ଗାଡ଼ି ଚଳାଇବା ହିଁ ଦୁର୍ଘଟଣାର କାରଣ ହେଉଛି । ଏହାଦ୍ୱାରା ଅମୂଲ୍ୟ ଜୀବନ ହାନି ହେଉଛି । ଅନେକ ପରିବାର ବେସାହାରା ହେଉଛନ୍ତି, ଦୁଃଖ ଦୁର୍ଦ୍ଧଶା ଭୋଗୁଛନ୍ତି । ଏଣୁ ପ୍ରତ୍ୟେକ ବ୍ୟକ୍ତି ସତର୍କତା ଅବଲମ୍ବନ ପୂର୍ବକ ଯାନବାହନ ଚଳାଇବାକୁ ଜିଲ୍ଲାପାଳ ଶ୍ରୀ ଠାକରେ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ସଚେତନ କରାଇବାକୁ ନିବେଦନ କରିଥିଲେ । ଏତଦ୍ବ୍ୟତୀତ ଦୁଇ ଚକିଆ ଯାନ ଚଳାଇବା ବେଳେ ସର୍ବଦା ହେଲମେଟ୍ ବ୍ୟବହାର, ଚାରି ଚକିଆ ଯାନ ଚଳାଇବାବେଳେ ସର୍ବଦା ସିଟ୍ବେଲ୍ଟ ବ୍ୟବହାର କରିବା, ଅଧିକ ବେଗରେ ଗାଡ଼ି ନଚଳାଇବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମାବଳୀ ମାନିବାକୁ ଅନୁରୋଧ କରିଥିଲେ । ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯିବ ଏବଂ ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେବା ସହ କେନ୍ଦୁଝର ଜିଲ୍ଲାରେ ସଡ଼କ ସୁରକ୍ଷା ଅଭିଯାନକୁ ସଫଳ କରିବା ପାଇଁ ସମାଜର ସବୁ ବର୍ଗର ଜନସାଧାରଣଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । କେନ୍ଦୁଝର ଏସ୍ଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ଦୁର୍ଘଟଣାର କାରଣ ଓ ତାର ଭୟାବହ ପରିଣତି ସମ୍ପର୍କରେ ଆଲୋକପାତ କରି ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇଲେ ଦୁର୍ଘଟଣାର ମାତ୍ରା କମିବ ବୋଲି କହିଥିଲେ । ଆଂଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି ନିଜ ଅଭିଭାଷଣରେ ସଡ଼କ ଦୁର୍ଘଟଣା ଏଡ଼ାଇବାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଏ ଦିଗରେ ସମସ୍ତେ ସକରାତ୍ମକ ମନୋଭାବ ନେଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିବେଦନ କରିଥିଲେ । କେନ୍ଦୁଝର ଜିଲ୍ଲାକୁ ସଡ଼କ ଦୁର୍ଘଟଣାମୁକ୍ତ କରିବା ନିମନ୍ତେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଜୀବ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିବା ସହିତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଉଦେ୍ଧଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପରେପରେ ଜିଲ୍ଲାପାଳ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ଟ୍ରାଫିକ ନିୟମାବଳୀ ସମ୍ପର୍କରେ ସଚେତନ କରାଇବ । ଏହି ଅବସରରେ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ସହିତ ନଗରଭବନ ପର୍ଯ୍ୟନ୍ତ ଯାଇଥିଲା । ପରେପରେ ନଗରଭବନ ନିକଟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ପ୍ରକାର ଯାନବାହନ ଆସୋସିଏସନ୍ର କର୍ମକର୍ତା, ବିଭିନ୍ନ ଅନୁÂାନ /ସଙ୍ଗଠନର କର୍ମକର୍ତା, ଛାତ୍ରଛାତ୍ରୀ, ଶିକ୍ଷାବିତ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଟାଉନ୍ ଥାନା ନିରୀକ୍ଷକ ସୋମନାଥ ଜେନା, ଅତିରିକ୍ତ ଆର୍ .ଟି .ଓ ହେମେନ୍ଦ୍ରନାଥ ନାଏକ, ଭାରପ୍ରାପ୍ତ ଏମ୍. ଭି. ଆଇ କାହ୍ନୁରଣ ବାନରା, ଟ୍ରାଫିକ୍ ଇନ୍ସପେକ୍ଟର ଅମୀୟଭୂଷଣ ସେଠୀ, ଆଂଚଳିକ ପରିବହନ କାର୍ଯ୍ୟାଳୟର ସେକ୍ସନ୍ ଅଫିସର ହେମନ୍ତ ଦାଶ, ବରିÂ କର୍ମଚାରୀ ବିଚିତ୍ରାନନ୍ଦ ରାଉତ୍, ଭୀମସେନ ଜେନା, ଚିତରଂଜନ ମହାନ୍ତ, ବିଜୟ କୁମାର ମହାନ୍ତ, ସନ୍ତୋଷ କୁମାର ପତି ପ୍ରମୁଖ ଉପରୋକ୍ତ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ, ପଥପ୍ରାନ୍ତ ନାଟକ ଆୟୋଜନ, ଗାଡ଼ି ଚାଳକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ, କର୍ମଶାଳା ଆୟୋଜନ, ଯାନବାହନ ଯାଂଚ, କବି ସମ୍ମିଳନୀ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଇତ୍ୟାଦି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO