![](https://indokalingtimes.com/wp-content/uploads/2020/01/7462482a99434c5762fff2c11f8326074a262a64fa99debf3f27ef5aaff48fd4_1.jpg)
![](https://indokalingtimes.com/wp-content/uploads/2020/01/7462482a99434c5762fff2c11f8326074a262a64fa99debf3f27ef5aaff48fd4_1-300x202.jpg)
ପାରଳାଖେମୁଣ୍ଡି- ପାରଳାରେ ମହାଦେଈ କଲ୍ୟାଣୀ ଗଜପତିଙ୍କ ଶାସନ ଆରମ୍ଭ ହୋଇଛି । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାରର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଶେକ କରିଥିଲେ । ଏହାପରେ ପାରଳା ରାଜପରିବାରର ଦାୟିତ୍ୱ ଗ୍ରହଣ କରିଛନ୍ତି କଲ୍ୟାଣୀ ଗଜପତି ରାଜଦେଇ ।
ଗତକାଲି ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା । ଏହାପରେ ମରଶରୀରକୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଣାଯାଇଥିଲା । ମରଶରୀର ରାଜନହରରେ ପହଂଚିବା ପରେ ପ୍ରଥମେ ତାଙ୍କ ଝିଅ ଗଜପତି କଲ୍ୟାଣୀ ରାଜଙ୍କ ରାଜ୍ୟାଭିଶେକ କରାଯାଇଥିଲା । ଏହାପରେ ତାଙ୍କୁ ସିଂହାସନ ଆରୋହଣ କରାଯାଇଥିଲା । ସିଂହାସନରେ ବସି ରାଜଦେଇ ନିର୍ଦ୍ଦେଶ ଦେବା ପରେ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅନ୍ୟପକ୍ଷରେ ପାରଳା ଇତିହାସରେ ଜଣେ ମହିଳା ରାଜ ସିଂହାସନ ଆରୋହଣ କରିବାର ଏହା ହେଉଛି ପ୍ରଥମ ଘଟଣା ।