-
– ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ମୃତ୍ୟୁ
-
– ବହୁ ବିଶିଷ୍ଟ ବ୍ୟକ୍ତି କଲେ ଶେଷ ଦର୍ଶନ
ଭୁବନେଶ୍ୱର – ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତିଙ୍କର ଶୁକ୍ରବାର ପ୍ରତ୍ୟୁଷରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ ଦୀର୍ଘ ଅଢେଇ ବର୍ଷ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ହସ୍ପିଟାଲରୁ ତାଙ୍କ ପାର୍ଥୀବ ଶରୀରକୁ ପାରାଳାଖେମୁଣ୍ଡି ନିଆଯାଇଥିଲା । ରାଜପ୍ରସାଦରେ ସ୍ୱତନ୍ତ୍ର ରୀତି ନୀତି ପରେ ସଂଧ୍ୟା ପୂର୍ବରୁ ପାରଳା ରାଜପରିବାର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏହା ପୂର୍ବରୁ ତୋପ ସଲାମୀ ଦିଆଯିବ । ମହାରାଜାଙ୍କ ମୃତ୍ୟୁ ଖବର ଶୁଣି ପାରାଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଦୋକାନ ,ବଜାର ବନ୍ଦ ରହିବା ସହ ଶେଷ ଦର୍ଶନ ପାଇଁ ସାଧାରଣ ଜନତାଙ୍କ ଭିଡ ଲାଗି ରହିଛି । ଦିବଂଗତ ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜିଠାରୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଛି ।
ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ହସ୍ପିଟାଲ ଯାଇ ଦିବଂଗତଙ୍କ ଶେଷ ଦର୍ଶନ କରିଥିଲେ । ସେହିପରି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ , ସାଂସଦ , ବିଧାୟକ. ପୂର୍ବତନ ବିଧାୟକମାନେ ମଧ୍ୟ ହସ୍ପିଟାଲ ଯାଇ ଶେଷ ଦର୍ଶନ କରିଥିଲେ ।
ତାଙ୍କ ମୃତ୍ୟୁରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡଙ୍ଗୀ , ବିଜେପି ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ । ୧୯୭୪ ମସିହା ମେ ୨୬ ତାରିଖ ଦିନ ଗୋପୀନାଥ ଗଜପତି ପାରଳାଖେମୁଣ୍ଡିର “ରାଜା’ ଭାବେ ଅଭିଷିକ୍ତ ହୋଇଥିଲେ । ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟେÂପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୁତ୍ର ।
୧୯୬୭ ମସିହା ମାର୍ଚ ୧୪ ତାରିଖ ଦିନ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।
ସ୍ୱାଧୀନତା ପରବର୍ତୀ ସମୟରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦାୟାଦ ପରାଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମେ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ । ପରେ ସେ ବିଜେପି ଯୋଗ ଦେଇଥିଲେ । ପରବର୍ତୀ ସମୟରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।
ନବମ ଲୋକସଭା ନିର୍ବାଚନ(୧୯୮୯)ରେ ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୨ହଜାର ୦୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଦଶମ ଲୋକସଭା ନିର୍ବାଚନ(୧୯୯୧)ରେ ସେ ପୁଣି କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୩୫ହଜାର ୨୬୦ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ମାତ୍ର ଦ୍ୱାଦଶ ଲୋକସଭା ନିର୍ବାଚନ (୧୯୯୮)ରେ ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ । ଗୋପୀନାଥ ଗଜପତିଙ୍କ କନ୍ୟା ତଥା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ ରାଜକୁମାରୀ କଲ୍ୟାଣ ଦେବୀ ଏବେ ରାଜନୀତିରେ ପାଦ ଥାପିଛନ୍ତି । ଗତ କିଛିଦିନ ତଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।