
ମାଲକାନଗିରି, ପ୍ରଥମ ପର୍ଯ୍ୟାୟରେ ମଇ ୧୩ ତାରିଖରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ ମାଲକାନଗିରି ବିଧାନସଭା ଆସନ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ର ନିମନ୍ତେ ମତଦାନ ହେବ। ଏଥିପାଇଁ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ସରିଛି। ସବୁ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। କିନ୍ତୁ, ଏହା ଭିତରେ ”ନୋଟା”(ନନ ଅଫ ଦ ଏବୋଭ) ଭୋଟ ପ୍ରାର୍ଥୀଙ୍କ ଚିନ୍ତା ବଢ଼ାଇଛି। ସମଗ୍ର ଜିଲ୍ଲାରେ ନିର୍ବାଚନୀ ଚିହ୍ନକୁ ନେଇ ପ୍ରାୟ ଭୋଟର ସଚେତନ ଅଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ସଚେତନ ଭୋଟର ହିଁ ”ନୋଟା”ରେ ମତଦାନ କରିବେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। କିନ୍ତୁ, ଏହା ଭିତରେ ଯଦି ଗତ ଦୁଇଟି ସାଧାରଣ ନିର୍ବାଚନକୁ ଦେଖାଯାଏ ତାହାହେଲେ ”ନୋଟା” ଭୋଟ କିଛି ପ୍ରାର୍ଥୀଙ୍କ ଭୋଟ ଠାରୁ ମଧ୍ୟ ଅଧିକ ରହିଛି।
୨୦୧୪ ନିର୍ବାଚନରେ ମାଲକାନଗିରି ବିଧାନସଭା କ୍ଷେତ୍ରରେ ୩୫୯୧ ଖଣ୍ଡ ଭୋଟ ନୋଟାକୁ ଯାଇଥିବା ବେଳେ ୨୦୧୯ ନିର୍ବାଚନରେ ୩୨୭୪ ଖଣ୍ଡ ଭୋଟ ନୋଟାରେ ପଡ଼ିଥଲା। ସେହିପରି ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ୨୮୬୧ ଖଣ୍ଡ ଭୋଟ ନୋଟା କୁ ଯାଇଥିବା ବେଳେ ୨୦୧୯ ରେ ୪୧୫୮ ଖଣ୍ଡ ଭୋଟ ନୋଟାରେ ପଡ଼ିଥିଲା, ଯାହାକି ଦଳୀୟ ଏବଂ ସ୍ଵାଧୀନ ପ୍ରାର୍ଥୀ ପାଇଥିବା ଭୋଟ ଠାରୁ ଅଧିକ ରହିଥିଲା। ସେହି ସମୟରେ ”ନୋଟା”କୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା। ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନକୁ ଯଦି ଦେଖାଯାଏ ତାହାହେଲେ ନୋଟା ଭୋଟ ବହୁ ଗୁରୁତ୍ଵ ବହନ କରୁଛି।ନିର୍ବାଚନରେ ବହୁ କମ ଭୋଟ ବ୍ୟବଧାନରେ ହାର ଜିତ ରହିଥିବା ଜିଲ୍ଲାରେ ଏକାଧିକ ନଜିର ରହିଛି।