
ବାରିପଦା- ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟରରେ ଆଜି ଦେବୋତରେ ବିଭାଗ ପକ୍ଷରୁ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ନାମରେ ଏକ ୱେବ ପୋର୍ଟାଲ ଉଦଘାଟିତ ହୋଇଛି । ଦେବୋତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୋର୍ଟାଲକୁ ଉଦଘାଟନ କରିବା ସହ ମୟୂରଭଞ୍ଜ ଜିଲ୍ଲାରେ ଦେବୋତର ବିଭାଗ ଅଧୀନରେ ରହିଥିବା ୧୦ଟି ମଠ ଓ ୧୦ ଗୋଟି ମନ୍ଦିରର ସମସ୍ତ ତଥ୍ୟ କାର୍ଯ୍ୟକ୍ରମ ଏବଂ ପୂଜାପାର୍ବଣୀ ଆଦି ସମ୍ପର୍କରେ ସୂଚନା ଉପଲବ୍ଧ ରହିବ । ଏହାକୁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ଜନସାଧାରଣ ଦେଖିପାରିବେ । ପୁଣି କୌଣସି ବଦାଣ୍ୟ ବ୍ୟକ୍ତି ମଠ, ମନ୍ଦିରରେ ରହିଥିବା ଠାକୁରମାନଙ୍କୁ ଦାନ ଧର୍ମ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଉକ୍ତ ଦାନରୁ ୮୦ ଜି ଅନୁସାରେ ଆୟକର ଛାଡ଼ର ସୁବିଧା ମିଳିପାରିବ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଥିବା ମଠ ଓ ମନ୍ଦିରରେ କାର୍ଯ୍ୟରତ ସେବାୟତମାନଙ୍କ ଲାଇଫକୁ ସୁରକ୍ଷିତ ରଖିବା ନିମନ୍ତେ ସେମାନଙ୍କୁ ବୀମାଭୂକ୍ତ କରାଯାଇଛି । ତିନି ବର୍ଷର ବୀମା କିସ୍ତି ବିଭାଗ ବହନ କରୁଥିବା ବେଳେ ଚତୁର୍ଥ ବର୍ଷଠାରୁ ସେବାୟତମାନେ ନିଜ ନିଜର କିସ୍ତି ପ୍ରଦାନ କରିବେ । ଏନେଇ ସେବାୟତମାନଙ୍କ ସହ ଆଲୋଚନା ଶେଷ ହୋଇସାରିଛି । ଏହା ଆରମ୍ଭ ମାତ୍ର । ପରବର୍ତି ସମୟରେ ସେମାନଙ୍କ ନିମନ୍ତେ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବାର ଲକ୍ଷ ରଖାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ସମୟରେ ମଠ ମମନ୍ଦିରର ସେବାୟତମାନଙ୍କ ସହ ଦେବୋତର ବିଭାଗର କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।