ଭୁବନେଶ୍ୱର, ପ୍ରଚାରର ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।
ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ । ସଭାରେ ପାଣ୍ଡିଆନ କହିଥିଲେ ଯେ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ସେମାନେ ଆତ୍ମବିଶ୍ୱାସ ହରାଉଛନ୍ତି । ସେମାନେ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି । କିନ୍ତୁ ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି କାହିଁକି ? ତେଣୁ ନା ଡବଲ, ନା ସିଙ୍ଗଲ ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ । ନବୀନ ବାବୁଙ୍କ ଇଞ୍ଜିନ ସବୁଠାରୁ ମଜବୁତ ।
ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଲେ ଆପଣଙ୍କ ଏମପି ୫ ବର୍ଷରେ କଣ କରିଛନ୍ତି? ନୂଆପଡା-ଭବାନୀପାଟଣା ଏନଏଚ ଦେଖିଲେ ଜଣାପଡୁଛି ତାଙ୍କ ଦକ୍ଷତା । ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍ ଅଛି । ନୂଆପଡାର ଅନେକ ପଂଚାୟତରେ ମୋବାଇଲ ନେଟ୍ୱାର୍କ ନାହିଁ । ଆପଣ ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ ଏନଏଚ ଦେଖନ୍ତୁ, ଫରକ ନିଜେ ଜାଣି ପାରିବେ । ଧର୍ମଗଡରେ ଯେଉଁଠି ବିଲପଡିଆ ଥିଲା, ଆଜି ତାହା ବିଜୁ ଏକ୍ସପ୍ରେସ ୱେ ହୋଇ ଆପଣଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିଛି ।
ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ୱର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍ପ୍ରେସ୍ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି । ମା ଭଣ୍ଡାରଘରଣୀ ମନ୍ଦିର ପାଇଁ ୧ କୋଟି ୧୦ ଲକ୍ଷ, ବୁଢାରାଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍ ରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୧୫୦ କୋଟି ଓ କଲମପୁରରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୫୩ କୋଟି, ଆପଣଙ୍କ ୩୨ଟି ପବିତ୍ର ପୀଠସ୍ଥଳୀର ଉନ୍ନତି ପାଇଁ ୧.୨୦ କୋଟି ଟଙ୍କା । ସେହିପରି ଜୁନାଗଡରେ ୨୨୫ କୋଟି ଟଙ୍କାର କାମ ଚାଲିଛି । ମା ଲଙ୍କେଶ୍ୱରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ, ୧୦୯ଟି ମଠ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ୱାର ଆଦି ପାଇଁ ୧୧.୫୦ କୋଟି, ଉପର ଇନ୍ଦ୍ରାବତୀ ଦକ୍ଷିଣପଟ ମେନ୍ କେନାଲ ପାଇଁ ୧୫୦ କୋଟି, ଜୁନାଗଡରେ ମେଗା ପାଇପ ପାଣି ପାଇଁ ୧୯୦ କୋଟି, ଗୋଲମୁଣ୍ଡାରେ ମେଗା ପାଇପ ପାଣି ପାଇଁ ୧୭୮ କୋଟି ଟଙ୍କାର କାମ ଚାଲିଛି । ଜୁନାଗଡର ୨୦୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି ।
ଏହି ସବୁ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଏବଂ ନୂଆପଡା ଜୁନାଗଡ଼ ଓ ଧର୍ମଗଡ ର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ଉଦବୋଧନ ଦେଇଥିଲେ ।