![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ବୌଦ୍ଧ, ବୌଦ୍ଧ ମହାନଦୀ ସେତୁ ଉପରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ସ୍ଵାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟକ୍ରମେ ରକ୍ଷାପାଇଛନ୍ତି ଦୁଇ ଝିଅ। ମହାନଦୀ ସେତୁ ଉପରେ ବାଇକ ସହ ସ୍ଵାମୀ-ସ୍ତ୍ରୀ ଛିଡା ହୋଇଥିବା ବେଳେ ଏକ ବେସରକାରୀ ଆମ୍ବୁଲାନସ ଦ୍ରୁତ ଗତିରେ ଆସି ବାଇକ ସହ ସ୍ଵାମୀ-ସ୍ତ୍ରୀ ଙ୍କୁ ଚାପିଦେଇଥିଲା।
ସୂଚନା ପ୍ରକାରେ, ବୌଦ୍ଧ ଜିଲା ସଦେଇପୁର ଗ୍ରାମର ମିଟୁ ବେହେରା ଅନଗୁଳ ଜିଲା ଆଠମଲ୍ଲିକ ସ୍ଥିତ ନିଜ ଶ୍ଵଶୁର ଘରୁ ସ୍ତ୍ରୀ ମନୋରମା ଓ ୨ ଝିଅଙ୍କୁ ଧରି ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ଝିଅ ମାନେ ସେତୁ ଉପରୁ ନଦୀ ପାଣି ଦେଖିବାକୁ ଜିଦ କରିବାରୁ ମିଟୁ ବାଇକ ରଖି ଝିଅଙ୍କୁ ଓଲ୍ହାଇଥିଲେ। ଝିଅ ମାନେ ସେତୁ ବାଡା ପାଖରେ ଛିଡା ହୋଇ ନଦୀ ପାଣି ଦେଖୁଥିଲେ ଓ ସ୍ଵାମୀ-ସ୍ତ୍ରୀ ବାଇକ ଉପରେ ବସି ରହିଥିଲେ। ଆମ୍ବୁଲାନ୍ସ ଧକ୍କାରେ ଘଟଣାସ୍ଥଳରେ ମିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମନୋରମାଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। କିଆକଟା ଥାନା ପୋଲିସ ଘଟଣାର ତଦନ୍ତ କରୁଛି।