
ବଲାଙ୍ଗୀର, ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗ୍ରାମବାସୀ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି। ଏହି ଗାଁରେ ୧୯୭୨ ମସିହାରେ ଏକ ୟୁ ପି ସ୍କୁଲ ସ୍ଥାପିତ ହୋଇଥିଲା, ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ। ପୂଣି ଏହାର କିଛି ବର୍ଷ ପରେ ୫ମ ପର୍ଯନ୍ତ ହୋଇଥିଲା ଓ ଦୁଇ ଜଣ ଶିକ୍ଷକ ନିଯୁକ୍ତି ହେଲେ। ସବୁ ଠିକଠାକ ଥିଲା ହେଲେ ୨୦୨୨ ମସିହାରେ ସରକାରଙ୍କ ନୂଆ ଗାଇଡ଼ ଲାଇନ ଆସିଲା ୩୦ ଜଣରୁ କମ ଥିବା ସ୍କୁଲ ଉଠିଯିବ ସେଇ ସମୟରେ ଏହି ସ୍କୁଲ ରେ ୨୮ ଜଣ ଛାତ୍ର ଛାତ୍ରୀ ଥିବାରୁ ତାହା ସରକାରଙ୍କ ପକ୍ଷରୁ ଉଠାଇଦିଆଯାଇ କୁଟାସିଂହା ହାଇସ୍କୁଲରେ ସାମିଲ ହେଲା। ଏଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହେଲେ। କିନ୍ତୁ ହାଇସ୍କୁଲକୁ ଛୁଆ ପଢିବାକୁ ଗଲେନାହଁ। ସମସ୍ୟା ହେଲା ଗାଁରୁ ହାଇସ୍କୁଲ ବହୁ ଦୂର ହେବ ତାହାପୁଣି ମୁଖ୍ୟ ରାସ୍ତାରେ ଥିବାରୁ ଦୈନିକ ଶହ ଶହ ଯାନବାହନ ଚଳ ପ୍ରଚଳ କରୁଥିବାରୁ ନିଜ ଛୋଟ ଛୋଟ ଛୁଆଙ୍କୁ ସେଠାକୁ ଛାଡିବାକୁ ଅଭିଭାବକ ମାନେ ସୁରକ୍ଷିତ ମଣୁନଥିବା କହିଛନ୍ତି। ସେଇଥି ପାଇଁ ଯିଏ ଯୁଆଡେ ପାରିଲା ନିଜ ଛୁଆଙ୍କୁ ପଢ଼ାଉଛନ୍ତି। ଏପଟେ ଛୁଆ ପଢିବାକୁ ଆସୁ ନ ଥିବାରୁ ୨ ଜଣ ଶିକ୍ଷକ ବସି ରହୁଛନ୍ତି। ଏ ସମ୍ପର୍କ ରେ ସିଆରସିସି, ବିଆରସି, ବିଓ, ଏବିଓ, ଡି ଓ, ପର୍ଯନ୍ତ ଜଣେଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ। ସେମାନଙ୍କ କହିବାନୁସାରେ, ସ୍କୁଲ ନ ଉଠିବାକୁ କେସ ମଧ୍ୟ କରାଯାଇଛି ଯାହା ଏବେ ହାଇକୋର୍ଟରେ ବିଚରାଧୀନ ଅଛି। ଅନ୍ୟପକ୍ଷରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ କାହାରି ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ସ୍କୁଲ ନାହିଁ ତ ଭୋଟ ନାହିଁ ବୋଲି ଗାଁ ସଭାରେ ନିଷ୍ପତି ନିଆଯାଇଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦାବୀ ହୋଇଛି।