
ନୂଆପଡ଼ା- ନୂଆପଡା ଜିଲ୍ଲା କୁରୁମପୁରୀ ଠାରୁ କୋମନା, ଖଡିଆଳ ଭାୟା ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ପର୍ଯ୍ୟନ୍ତ ୭୦ କିଲୋମିଟର ପର୍ଯ୍ୟନ୍ତ ନିର୍ମିତ ୩୫୩ ନଂ ଜାତୀୟ ରାଜପଥ ଗତ ୨୦୧୫ ମସିହାରୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଅଧ୍ୟାବଧି ରାସ୍ତାକାର୍ଯ୍ୟ ଶେଷ ହୋଇପାରିନାହିଁ । ଯାହାଫଳରେ ଯାନବାହାନ ଯାତାୟତରେ ବ୍ୟାଘାତ ଦେଖାଦେଉଥିବା ବେଳେ ଏହି ରାସ୍ତାରେ ଯାତାୟତ କରୁଥିବା ବାଟୋଇ ମାନେ ନାହିନଥିବା ଅସୁବିଧା ଭୋଗ କରୁଛନ୍ତି । ୫ ବର୍ଷ ଭିତରେ ୭୦ କି.ମି. ମଧ୍ୟରୁ ୫୦/୬୦ ପ୍ରତିଶତ ରାସ୍ତା ତିଆରି କାମ ସରିଥିବା ବେଳେ ବର୍ତ୍ତମାନ ଅନେକ କଲଭର୍ଟ, ପୋଲ ସହ ଅନେକ ରାସ୍ତାକୁ ଖୋଲି ଦେଇ ପରିତ୍ୱକ୍ତ ଅବସ୍ଥାରେ ପକାଇ ରଖିଛି । ଯାହାଫଳରେ ଏହି ରାସ୍ତାରେ ଯାତାୟତ କଲେ ପ୍ରବଳ ଧୂଳିଗୁଣ୍ଡ ଉଡୁଥିବାରୁ ଲୋକେ ଓ ଗାଡିଚାଳକ ମାନେ ନାନା ଅସୁବିଧାର ସମ୍ମୁଖିନରେ ପଡୁଛନ୍ତି । ଅନ୍ୟପକ୍ଷରେ ଖଡିଆଳ ସହରର ରାସ୍ତାକୁ ମଧ୍ୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପକାଇ ରଖିଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ଖଡିଆଳ ସହରର ଜିଲ୍ଲାର ମୁଖ୍ୟସ୍ଥଳୀରେ ରହିଥିବାରୁ ପ୍ରତିଦିନ ଶତାଧିକ ଯାନବାହାନ ଯାତାୟତ କରୁଥିବାରୁ ପ୍ରବଳ ଧୂଳି ଗୁଣ୍ଡ ଉଡୁଛି ଏବଂ ଛୋଟବଡ ଦୁର୍ଘଟଣା ମାନ ମଧ୍ୟ ଘଟୁଛି । ଅନ୍ୟପକ୍ଷରେ ଏହି ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଳଟିଥିବା ବେଳେ ରାସ୍ତାକାମ କେବେ ଶେଷ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଜାତୀୟ ରାଜପଥ ଉପରେ ନୂଆପଡା ଜିଲ୍ଲାପାଳ, ବିଧାୟକ, ସାଂସଦ, ରାଜ୍ୟ ଏବଂ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯାତାୟତ କରିଥିଲେ ମଧ୍ୟ ତାଙ୍କର ଆନ୍ତରୀକତା ନଥିବାରୁ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ ହୋଇପାରୁନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେଇ ଜାତୀୟ ରାଜପଥ ରାସ୍ତାକାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବୀ ହେଉଛି ।