
ପୁରୀ- ଚଳିତ ମାସ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ୨୬ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ସଂପାଦକ ଚକ୍ରଧର ମହାପାତ୍ର ସୂଚନା ଦେଇଛନ୍ତି । ଏହି ପୁସ୍ତକ ମେଳାରେ ରାଜ୍ୟ ସମେତ ରାଜ୍ୟ ବାହାରୁ କେତେକ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗଦେବେ । ୧୫୦ରୁ ଅଧିକ ଷ୍ଟଲ୍ ମେଳାରେ ଖୋଲିବ । ୫ ତାରିଖ ସଂଧ୍ୟା ୬ଟାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟ ଅତିଥିଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଶିଷ୍ଟ ଅତିଥିଭାବେ କିଟ୍ ବିଜ୍ଞାନ କଲେଜର ଅଧ୍ୟକ୍ଷ ଡଃ. ଚିତରଞ୍ଜନ ମିଶ୍ର ଯୋଗଦେବେ ।
ସେହିପରି ଉଦଯାପନୀ ଦିବସରେ ରାଜ୍ୟ ଗୃହ, ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପୁରୀ ଏସପି ଡା. ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା କୁଇଜ୍, କବିତା ପାଠ ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ମେଳା ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମେଳା କମିଟିର ପୁସ୍ତକ ‘ବିଚିତ୍ରା’ ଉନ୍ମୋଚିତ ହେବ ।