ଭୁବନେଶ୍ୱର– ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୯ତମ ବାର୍ଷିକ ମହୋତ୍ସବ ଭୁବନେଶ୍ୱରସ୍ଥ ଉତ୍କଳ ମଣ୍ଡପ ପରିସରରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିପୟୁଟିର ପୂର୍ବତନ କୁଳପତି ଓଁକାର ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ୩୫ନମ୍ବର ୱାର୍ଡର କର୍ପୋରେଟର ରଞ୍ଜୁଲତା ରାୟ ଓ ସମାଜସେବୀ ନୃସିଂହ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଚାରୁବାଳା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥିମାନେ ନିଜ ନିଜ ଭାଷଣରେ ସ୍କୁଲ୍ର ସର୍ବାଙ୍ଗୀନ ଉନ୍ନତି ଏବଂ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ୨୯ବର୍ଷ ଭିତରେ ଆଲୋକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭଲଭାବେ ଆଗେଇଚାଲିଛି ଏବଂ ପିଲାମାନଙ୍କ ଭିତରେ ବୌଦ୍ଧିକ ବିକାଶ ସୃଷ୍ଟି କରିପାରିଛି । ଏହି ସ୍କୁଲ୍ର ପ୍ରଗତି ଏବଂ ପିଲାମାନଙ୍କ ସଫଳତା ଦେଖି ଆମ୍ଭେମାନେ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ । ସୌଭାଗ୍ୟବଶତଃ ଏହି ବିଦ୍ୟାଳୟରୁ ପାଶ କରି ଯାଇଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଆଲୁମିନି ମିଟ୍ ମଧ୍ୟ ଏକା ସମୟରେ ଅନୁଷ୍ଠିତ ହୋଇଥିଲା ଏବଂ ଅତିଥିମାନେ ମଧ୍ୟ ସେମାନଙ୍କୁ ପୁଷ୍ପ ଓ ଉତରୀୟ ଦେଇ ସମ୍ମାନିତ କରିଥିଲେ । ସଭା ପରେପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତାର ସହିତ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର, କପ୍ ଓ ସିଲ୍ ଦେଇ ପୁରସ୍କୃତ କରିଥିଲେ । ଏହି ସ୍କୁଲ୍ଟି ଆଦିବାସୀ, ହରିଜନ, ଓ ଜନକଲ୍ୟାଣ ଅଧିନରେ ଥିବାରୁ ଆମ୍ଭେ ନର୍ସରୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବାପାଇଁ ଚେଷ୍ଟା ଜାରି ରଖିଛୁ ବୋଲି ସୂଚନା ଦେଇଛନ୍ତି ସ୍କୁଲ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କେଶରୀ ଦାଶ । ବିଦ୍ୟାଳେୟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଚାରୁବାଳା ନାୟକ, ଅଧ୍ୟକ୍ଷ ବିକ୍ରମ କେଶରୀ ଦାସ ଓ ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱର୍ଣ୍ଣାମଞ୍ଜୁରୀ ମିଶ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା ।