ଭୁବନେଶ୍ୱର – ବିଶ୍ୱ ପ୍ରସିଦ୍ଧ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ସରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀର ୧୯ ଜଣ କ୍ରୀଡ଼ାବିତ୍ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍କେଟିଂ କଳା ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ରୂପା ତାରକସୀର ଏକ ଉପହାର ଦେଇଥିଲେ । ସୂଚନାଯୋଗ୍ୟ ଯେ, ୨୦୧୮ ନଭେମ୍ବର ୧୦ ତାରିଖରେ କର୍ଣ୍ଣାଟକରେ ଅନୁଷ୍ଠିତ ରୋଲର ସ୍କେଟିଂ ଇଭେଂଟରେ ଶିବଗଙ୍ଗା ରୋଲର ସ୍କେଟିଂ କ୍ଲବ ପକ୍ଷରୁ ଏକ ସମୟରେ ୫୪୫ ଜଣ କ୍ରୀଡ଼ାବିତ୍ ନିରବଚ୍ଛିନ୍ନ ଭାବେ ୪୮ ଘଂଟା ସ୍କେଟିଂ କରି ବିଶ୍ୱ ରେକର୍ଡ଼ କରିଥିଲେ । ଏହି ଇଭେଂଟରେ ବ୍ରହ୍ମପୁର ସ୍ପୋଟିଂ ଏକାଡେମୀର ଏହି ୧୯ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରି ସଫଳ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।