
ପୁରୀ– ଗତ ଦୁଇ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଶେଷ ହୋଇଛି । ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର କରାଯାଇଥିବା ଏହି ଲେଜର୍ ସ୍କାନିଂ ପରେ ଏହି ଡାଟାକୁ ପ୍ରୋସେସିଂ କରାଯିବ । ଏଥିପାଇଁ ଡକ୍ୟୁମେଂଟେସନ୍ ଚାଲିଛି । ଡାଟା ଟ୍ରାନ୍ସଫର ପରେ ଏହାକୁ ବିଶ୍ଲେଷଣ କରାଯିବ । ମୋଟ୍ ୪୫ଟି ପଏଂଟରେ ଏହି ସ୍କାନିଂ କରାଯାଇଛି । ଏହା ବ୍ୟତୀତ ସମସ୍ତ ଜଏଂଟର ସ୍କାନିଂ ହୋଇଛି । ଏ ବାବଦରେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଅବଗତ କରାଇଛି । ତେବେ କେବଳ ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥରେ ସ୍କାନିଂ କରାଯାଇଛି, କିନ୍ତୁ ମୋଟ୍ ମନ୍ଦିର କମ୍ପ୍ଲେକ୍ସରେ ସ୍କାନିଂ କରାଯାଇନାହିଁ ବୋଲି ଏଏସଆଇ ସ୍ପଷ୍ଟ କରିଛି । ବାହାର କାନ୍ଥର ତଥ୍ୟ ଆସିବା ପରେ ଯଦି କିଛି ଫାଟ କିମ୍ବା ଅନ୍ୟ ଅସୁବିଧା ଥାଏ, ତେବେ ଭିତର ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡଂ ଆର୍କିଓଲୋଜିଷ୍ଟ ଡି.ବି. ଗଡନାୟକ ।
ଏହାଛଡା ନାଟ ମଣ୍ଡପ ମରାମତି ପ୍ରସଙ୍ଗରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ସେ ଆଲୋଚନା କରିଛନ୍ତି । ମରାମତି ବେଳେ ଯେପରି ଭକ୍ତ ମାନଙ୍କର କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି ।