
ଭୁବନେଶ୍ୱର– ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଚଳିତ ମାସ ୨୬ ତାରିଖରେ ୫ଜଣ ଭାରତ ଫେରିଆସିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲାର ଆଉ ୫ ଶ୍ରମିକ ଫେରୁଛନ୍ତି । ଅନ୍ୟ ୧୧ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି । ଦୂତାବାସ ସୂଚନା ଅନୁସାରେ ଆଜି କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ଶରତ କୁମାର ନାୟକ, ନିରାକାର ସାହୁ, ପ୍ରମୋଦ ଖଟୁଆ, ରବିନ୍ଦ୍ର କୁମାର ମହାନ୍ତି ଏବଂ ବିଚିତ୍ର କୁମାର ବିଶ୍ୱାଳ ଗବୋନରୁ ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି । ଗବୋନରେ ଫସିଥିବା ୨୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଶ୍ରୀ ପଣ୍ଡା ଚଳିତ ମାସ ୧୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଂଟ ଜରିଆରେ ଗବୋନ ଯାଇଥିଲେ । କିନ୍ତୁ ସେଠାରେ ପହଂଚିବା ପରେ କମ୍ପାନୀ କର୍ତୃପକ୍ଷ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଂଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ଏକ ଭିଡିଓ ବାର୍ତାରେ ପରିବାର ଲୋକଙ୍କୁ ଜଣାଇଥିଲେ । ଉପାୟଶୂନ୍ୟ ହୋଇ ପରିବାର ଲୋକ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସମସ୍ତ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଗବୋନରେ ଫସିଥିବା ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ଅନ୍ୟାନ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ ।