
କନ୍ଧମାଳ– ବଣଭେଜି ହେଲା କାଳ । ଅସାବଧାନତାରୁ ଗୋଡ ଖସିଯିବାରୁ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀର । ବଣଭୋଜି କରିବାକୁ ଯାଇ ଅସାବଧାନତାବଶତଃ ଫୁଲବାଣୀର ଜଣେ ଯୁବକ ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଗଣେଶ ବଜାରର ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର (୨୬)।
ସୂଚନା ଅନୁଯାୟୀ, ଶୁକ୍ରବାର ଫୁଲବାଣୀ ସହରର ଗଣେଷ ବଜାରର ସମସ୍ତ ଦୋକାନ ସବୁ ମାସ ପରି ବନ୍ଦ ଥିବା ଯୋଗୁଁ ଜଗଦୀଶର ସାଙ୍ଗ ଅଜିତ୍ ପାତ୍ର, ରବୀନ୍ଦ୍ର ନାୟକ, ରାଜ ସାହୁ ଓ ସରୋଜ କୁମାର ସାହୁଙ୍କ ସହିତ ମିଶି ସହର ନିକଟସ୍ଥ ତୁଡିପାଜୁ ପଞ୍ଚାୟତ ବୁଢାଦାନୀ ଗ୍ରାମ ନିକଟ ସାଲୁଙ୍କୀ ନଦୀକୁ ବଣଭୋଜି କରିବା ପାଇଁ କାଠପୋଲ ନିକଟକୁ ଯାଇଥିଲେ। ନଦୀରେ ଗାଧୋଇବା ସମୟରେ ଜଗଦୀଶ୍ ଏବଂ ଅଜିତର ଗୋଡ ଖସିଯିବାରୁ ଉଭୟ ପାଣି ଭିତରକୁ ଖସି ପଡ଼ିଥିଲେ। ଅଜିତ୍ କୌଣସି ପ୍ରକାର ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଗଦୀଶ୍ ନଦୀର ଏକ ପଥରରେ ଲାଗିଯାଇ ବାହାରକୁ ଆସିପାରିନଥିଲେ। ପାଣି ତଳେ ଥିବା ପଥରରେ ତାଙ୍କର ମୁଣ୍ଡ ମାଡ ହୋଇ ଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଅନ୍ୟ ମାନେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।