
-
ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଭାରତ-ପାକିସ୍ତାନ ସୀମାରେ ରୋକାଯାଇଥିଲା ମୋଦିଙ୍କ କାଫିଲା
-
ଫିରୋଜପୁର ଫ୍ଲାଏଓଭରରୁ ଫେରିଥିଲେ ପିଏମ ମୋଦି
ଚଣ୍ଡିଗଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ମାମଲାରେ ଗୃହ ମନ୍ତ୍ରାଳୟ ଫିରୋଜପୁର (ପଞ୍ଜାବ) ଜିଲ୍ଲାର ତତ୍କାଳୀନ ଏସପି ଗୁରବିନ୍ଦର ସିଂହଙ୍କୁ ନିଲମ୍ବନ କରିଛି । ସେ ଏବେ ପଞ୍ଜାବରେ ବଠିଣ୍ଡାରେ ନିୟୋଜିତ ଅଛନ୍ତି । ଡିଜିପିଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ଅକ୍ଟୋବର 18 ତାରିଖରେ ପୋଲିସ ମହାନିର୍ଦ୍ଦେଶକ ଗୃହ ମନ୍ତ୍ରାଳକୁ ପଠାଇଥିବା ରିପୋର୍ଟରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତତ୍କାଳୀନ ଏସପି ନିଜର ଡ୍ୟୁଟି ଠିକ୍ ଭାବେ ତୁଲାଇନାହାନ୍ତି ।
ପଞ୍ଜାବରେ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022, ଜାନୁୟାରୀ 5ରେ ବଠିଣ୍ଡା ଯାଇଥିଲେ । ସେଠାରେ ସେ ସଡକ ମାର୍ଗରେ ଫିରୋଜପୁର ଯାଉଥିଲା । ତେବେ ରାସ୍ତାରେ ଚାଷୀମାନେ ରାସ୍ତାରୋକ କରିଥିଲେ । ଏହାପରେ ଫିରୋଜପୁରରେ ପ୍ୟାରେଆଲା ଫ୍ଲାଏଓଭରରେ ପ୍ରଧାନମନ୍ତ୍ରୀଙ୍କ କାଫିଲା ପ୍ରାୟ 20 ମିନିଟ୍ ଧରି ଅଟକି ରହିଥିଲା । ଏହି ଫ୍ଲାଏଓଭର ଭାରତ-ପାକିସ୍ତାନ ହୁସୈନୀବାଲା ବର୍ଡରରୁ କିଛି ଦୂରରେ ରହିଛି । 20 ମିନିଟ ଅପେକ୍ଷା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଫେରିବାକୁ ପଡିଥିଲା । ଏହି ପୁରା ଘଟଣାକ୍ରମ ସମୟରେ ଏସପି ଗୁରବିନ୍ଦର ସିଂହଙ୍କ ପାଖରେ ସୁରକ୍ଷାର ଦାୟିତ୍ୱ ରହିଥିଲା ।
ଗୁରବିନ୍ଦର ସିଂ ଏବେ ବଠିଣ୍ଡାରେ ନିୟୋଜିତ ଅଛନ୍ତି । ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ନିଲମ୍ବନ ସମୟରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ଡିଜିପି ଅଫିସ ଚଣ୍ଡିଗଡ ହେବ । ବିନା ଅନୁମତିରେ ସେ ହେଡ୍ ଅଫିସ ଛାଡିପାରିବେ ନାହିଁ । ବଠିଣ୍ଡାରୁ ରିଲିଭ କରି ତାଙ୍କୁ ତୁରନ୍ତ ଡିଜିପି କାର୍ଯ୍ୟାଳୟ ଯିବାକୁ କୁହାଯାଇଛି ।