ବଲାଙ୍ଗିର, ଲୋଇସିଂହା ବ୍ଲକର ଝାରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ଵାନ କ୍ରମେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଭା ପୂର୍ବରୁ ଆଦିବାସୀ ଭବନ ନିର୍ମାଣ ପାଇଁ କର୍କଚିଆ ଛକ ଠାରେ ଭୂମି ପୂଜନ କରାଯାଇଥିଲା। ତାପରେ ଝାରମୁଣ୍ଡା ଗାଁ ରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା। ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟାମ ସୁନ୍ଦର ଭୋଇ ଓ ବ୍ଲକ ସଭାପତି ମାନଙ୍କୁ ଗାଁ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଗାଁ ପରିକ୍ରମା ପରେ ସଂଘର ବ୍ଲକ ସଭାପତି ଦଶରଥ ଛତ୍ରିଆଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଭାରେ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ସ୍ଵତନ୍ତ୍ର ସଂରକ୍ଷଣ ଅଧିକାର, ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷା ଅଧିକାର, ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଭାଷା, ଧର୍ମ ସୁରକ୍ଷା ଅଧିକାର, ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନା ବିଷୟରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ।
ଏହା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ମହିଳା ସଶକ୍ତିକରଣ ଯୋଜନା ଉପରେ ସଚେତନ କରିଥିଲେ। ମଦ ଛାଡି ପାଠ ପଢ଼ି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସାଂସଦ (ରାଜ୍ୟସଭା) ଶ୍ରୀ ବିଶି ଉଦବୋଧନ ଦେଇଥିଲେ। ଆଦିବାସୀ ସଂଘ ତରଫରୁ ୧୫ ନଭେମ୍ବର ୨୩ ରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡା ଜୟନ୍ତୀ ବଲାଙ୍ଗିରରେ ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି କରାଯାଇଛି। ଅଣ- ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ଵୀକୃତି ଆଇନ ଅନୁସାରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା, ଏଟ୍ରୋସିଟି କେଶରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କରିବା, ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ, ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନୁମୋଦନ କରିବା, ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ।
ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ, ସେବାଶ୍ରମ କନ୍ୟାଶ୍ରମ ଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ଵତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରିବା ପାଇଁ ବୈଠକରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ଵତନ୍ତ୍ର ଅତିଥି ଭାବରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି, ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ଵର କୁଅଁର, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ଵର କୁଅଁର, ବଲାଙ୍ଗିର ବ୍ଲକ ସଭାପତି ପାଳେଶ୍ଵର ଭୋଇ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ସଦାନନ୍ଦ ଧରୁଆ, ଭଗବାନ ଧରୁଆ, ଗୋପାଳ ପଧାନ, ବିନୋଦ ବିହାରୀ ମଲ୍ଲିକ, ପବିତ୍ର ଧରୁଆ, ବାଳକୃଷ୍ଣ ଧରୁଆ, ବିଶିକେସନ ମିର୍ଦ୍ଧା ପ୍ରମୁଖ ଦାବି କରିଥିଲେ। ସଭାରେ ବହୁ ସଂଖ୍ୟାରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ। ସତ୍ୟମ ଦଳପତି ସଭା ପରିଚାଳନା କରିଥିଲେ ଓ ପବିତ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।