ଭୁବନେଶ୍ୱର – ଓଡିଶାର ୬ ଟି ଆକାଂକ୍ଷିତ ଜିଲ୍ଲାରେ ମେଡିକାଲ କଲେଜ କରାଯିବ । ଏହା ବ୍ୟତୀତ ଆଉ ୨ ଟି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରିବାପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି । ଦେଶର ୭୫ ଟି ଆକାଂକ୍ଷିତ ଜିଲ୍ଲାରେ ୭୫ଟି ମେଡିକାଲ କଲେଜ କରାଯିବ । ଏଥିମଧ୍ୟରୁ ୪୯ଟି ମେଡିକାଲ କଲେଜର ନିର୍ମାଣ ୪/୫ ମାସ ମଧ୍ୟରେ ଶେଷ ହେବ ।
ବୁଧବାର ଦିନ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।
ଅନ୍ୟପକ୍ଷରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଲାଭବାନ ହେଉଛନ୍ତି । ଉଭୟ ଯୋଜନାର ମିଶ୍ରଣ ନେଇ ରାଜ୍ୟ ସରକାର ଆଲୋଚନା ଜାରୀ ରଖିଛନ୍ତି ବୋଲି ସେ କେହିଛନ୍ତିି ।