ମାଲକାନଗିରି, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ -ବୈପାରଗୁଡା ରାସ୍ତାର କସିଗାଡ଼ା ବିଏସଏଫ କ୍ୟାମ୍ପ ନିକଟରେ ଓଲଟିଲା ନୀଳଗିରି କାଠ ବୋଝେଇ ଟ୍ରକ । ଫଳରେ ୧୧ ଘଣ୍ଟାରୁ ଅଧିକ ହେବ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯିବାକୁ ଯୋଗାଯୋଗ ବନ୍ଦ ରହିଛି । ଗତକାଲି ରାତିରେ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସକାଳେ ସେଠାରେ ବସ ପହଞ୍ଚିବା ପରେ ଭାରତୀୟ ରେଡକ୍ରସ୍ ସୋସାଇଟି ର ରାମକୃଷ୍ଣ ଚୌଧୁରୀ ଓ ତାଙ୍କ ଟିମ୍ ଟ୍ରକ ର କାଠ ଯାହା ରାସ୍ତା ଅବରୋଧ କରିଥିଲା, ରାସ୍ତାରୁ ହଟାଇବାକୁ ଲାଗିପଡିଲେ। ଏଥିରେ କାଠ ଲୋଡ କରୁଥିବା ତେଲୁଗୁ ଶ୍ରମିକ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟ ସାରିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା। ପୋଲିସ ବିଭାଗ କ୍ରେନ୍ ଆଣି ଓଲୋଟି ପଡ଼ିଥିବା ଟ୍ରକ୍ ଏକତରଫା ଟାଣିବା ପରେ ରାସ୍ତାରେ ଯିବା ଆସିବା ସ୍ଵାଭାବିକ ହୋଇଥିଲା।