ଜଟଣୀ – ଜଟଣୀ ନିକଟ ନିଜିଗଡ଼ କୁର୍ଖି ଅଂଚଳରେ ଥିବା ଜାଭିୟର୍ ୟୁନିଭର୍ସିଟିରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ପ୍ରତିବାଦରେ ଗୁରୁବାର ପୁର୍ବାହ୍ନରେ ଜଟଣୀ ବିଧାୟକଙ୍କ ସହିତ ଧାରଣାରେ ବସିବା ସହ ପୁନଃ ନିଯୁକ୍ତି ଦାବି କରାଯାଇଥିଲା । ଜାଭିୟର୍ କର୍ତୃପକ୍ଷଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ସୂଚନାନୁସାରେ, ଜଟଣୀ-ସୁନ୍ଦରପଦା ମୁଖ୍ୟ ରାସ୍ତାର ନିଜିଗଡ଼ କୁର୍ଖି ଅଂଚଳରେ ଥିବା ଜାଭିୟର୍ ୟୁନିଭର୍ସିଟିରୁ ଗତ ଜାନୁଆରୀ ମାସରେ ୫୦ ରୁ ଉଦ୍ଧ୍ୱର୍ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୁବକ ଯୁବତୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ଠିକା ସଂସ୍ଥା ମାଧ୍ୟମରେ ମାଳି, ପିଅନ, ସିକୁ୍ୟରିଟି ଓ ଅନ୍ୟାନ୍ୟ ପଦବୀରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ସ୍ଥାନୀୟ ଅଂଚଳର ବେକାର ଯୁବକ ଯୁବତୀମାନେ ସ୍ୱଳ୍ପ ପାରିଶ୍ରମିକରେ ନିଯୁକ୍ତି ପାଇଥିଲେ । ମାତ୍ର ଏଥିରେ ଟେଣ୍ଡର ନେଇଥିବା ଠିକା ସଂସ୍ଥାର କାର୍ଯ୍ୟକାଳ ସରିଯିବା ପରେ ନୂତନ ଭାବେ ଆସିଥିବା ଠିକା ସଂସ୍ଥା ଏମାନଙ୍କୁ ଚାକିରୀରୁ ଛଟେଇ କରିଥିଲା । ମାତ୍ର ଏମାନେ ଜାଭିୟର୍ କର୍ତୃପକ୍ଷଙ୍କୁ ଅବଗତ କରାଇବା ପରେ କୌଣସି ସୁଫଳ ହୋଇନଥିଲା । ତେବେ ଏନେଇ ଉକ୍ତ ଯୁବକ ଯୁବତୀମାନେ ପୁନଃ ନିଯୁକ୍ତି ଦାବିରେ ୟୁନିଭର୍ସିଟି ସମୁଖରେ ୨ ରୁ ୩ ମାସ ବ୍ୟବଧାନରେ ବିକ୍ଷୋଭ ଧାରଣା ପ୍ରତିବାଦ କରି ଚାଲିଥିଲେ ମଧ୍ୟ ଉକ୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିଲା । ତେବେ ଏନେଇ ଆଜି ସକାଳ ୮ ଟା ଠାରୁ ଯୁବକ ଯୁବତୀଙ୍କ ସହିତ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଜାଭିୟର୍ ୟୁନିଭର୍ସିଟି ସମୁଖ ମୁଖ୍ୟ ରାସ୍ତା କଡ଼ରେ ବସି ଧାରଣା ପ୍ରତିବାଦ କରିଥିଲେ । ଯାଭିୟର୍ ୟୁନିଭର୍ସିଟି କର୍ତୃପକ୍ଷଙ୍କୁ ଏନେଇ ପୁଲିସ୍ ମାଧ୍ୟମରେ ଅବଗତ କରାଇବା ପରେ କର୍ତୃପକ୍ଷ ଧାରଣା ସ୍ଥଳରେ ପହଁଚି ଏକ ସପ୍ତାହ ମଧ୍ୟରେ ଠିକା ସଂସ୍ଥ୍ା ସହିତ ଆଲୋଚନା କରି ବହିଷ୍କୃତଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନା ଯେ, ଉକ୍ତ ଯାଭିୟର୍ ୟୁନିଭର୍ସିଟିର ନିର୍ମାଣ ବେଳେ ସ୍ଥାନୀୟ ଅଂଚଳବାସୀ ତଥା ବହିଷ୍କୃତ ଯୁବକ ଯୁବତୀଙ୍କ ପରିବାର ପକ୍ଷରୁ ଜମି, ରାସ୍ତାଘାଟ ଓ ଅନ୍ୟାନ୍ୟ କେତେକ ସହାୟତା ସହଯୋଗ ପ୍ରଦାନ କରାଯାଇଥିବା ଯୁବକ ଯୁବତୀମାନେ କହିଥିଲେ । ମାତ୍ର ନିର୍ମାଣ ପରେ ନିଯୁକ୍ତି ଦାବୀ କରିବାରୁ ଏମାନଙ୍କୁ ଚାକିରୀ ଦେବା ପରିବର୍ତେ ଏମାନଙ୍କ ନାମରେ ଆକ୍ରୋଶ ମୂଳକ ଭାବେ ବିଭିନ୍ନ କେଶ୍ରେ ଛନ୍ଦି ଦିଆଯାଇଥିବା ମଧ୍ୟ କହିଥିଲେ ।