କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପ୍ରତିବର୍ଷ ଜନ୍ମଦିନ ଅନାଥାଶ୍ରମରେ କିମ୍ବା ବୃଦ୍ଧାଶ୍ରମ ରେ ପାଳିବା ଓ ସେମାନଙ୍କ ସହ କିଛି ମୁହୂର୍ତ୍ତ ବିତାଇବା ସହ ସେମାନଙ୍କ ଓଠରେ ହସ ଫୁଟାଇବା ଜନ୍ମଜୟଙ୍କ ଲକ୍ଷ୍ୟ। ସେ ସ୍ଥାନକୁ ନିଜର ଖୁସିର ଠିକଣା ବୋଲି ସେ ଭାବନ୍ତି । ସବୁବର୍ଷ ପରି ଚଳିତ ବର୍ଷ ଜନ୍ମଦିନ ଅବସରରେ ଆଶ୍ରା ବୃଦ୍ଧାଶ୍ରମ, ନାଉଗାଁ, ଜଗତସିଂହପୁର ଯାଇ ଜରାନିବାସର ଅନ୍ତେବାସୀ ମାନଙ୍କସହ କେକ୍ କାଟିବା ସହ ସେମାନଙ୍କ ରାତ୍ରିଭୋଜନର ବ୍ୟବସ୍ଥା କରିଥିଲେ । ସେ ବୃଦ୍ଧାଶ୍ରମରେ ଖାଦ୍ୟ ପରସିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ସେମାନଙ୍କ ଖାଦ୍ୟପେୟ , ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।
ପେଶାରେ ଜଣେ ଗଣିତ ଶିକ୍ଷକ ରୂପେ ଜନ୍ମଜୟ ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ, ନିଶା କିନ୍ତୁ ପରିବାରରୁ ଅବହେଳିତ, ନିର୍ଯାତିତ ହୋଇ ବୃଦ୍ଧାବସ୍ଥାରେ ଜରାନିବାସକୁ ଶେଷଠିକଣା ବାଛିଥିବା ବାପାମାଆମାନଙ୍କ ଓଠରେ ହସ ଫୁଟାଇବା। ତେଣୁ ନିଜ ସ୍ୱନକ୍ଷତ୍ର ଦିବସରେ ପହଁଚି ଯାଆନ୍ତି ସେହି ବାପାମାଆଙ୍କ ପାଖରେ, ଯେଉଁମାନେ ପରିବାର ତଥା ସନ୍ତାନ ବିଚ୍ଛେଦର ଦୁଃଖ ଭୋଗୁଥାନ୍ତି । ଜନ୍ମଜୟ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ନିଜର ଶିଶୁକୈନ୍ଦ୍ରିକ ଶିକ୍ଷାଦାନ ପଦ୍ଧତିର ଅବଲମ୍ବନ ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ପ୍ରିୟ ହୋଇପାରିଛନ୍ତି। ପ୍ରକାଶ ଥାଉକି ସେ ଅବସର ସମୟରେ ବିଭିନ୍ନ ଗପ, କବିତା , ଗୀତ ଲେଖି ସମସ୍ତଙ୍କ ମନ ଜିଣିଛନ୍ତି। ଜରାନିବାସର ଅନ୍ତେବାସୀ ତାଙ୍କୁ ଶୁଭାଶିଷ ପ୍ରଦାନ ସହ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।