
କୋରେଇ- ବହୁ ଦୁରଦୁରାନ୍ତ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧାରେ କିପରି ସେବା ମିଳିପାରି ସେଥି ନିମନ୍ତେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୪୩ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲିଛନ୍ତି । ଯାତ୍ରୀ ମାନେ ଏଠାରେ ରହି ଫ୍ରେସ ହୋଇ ପୁଣି ନିଜ ଗନ୍ତବ୍ୟ ସ୍ଥଳକୁ ଫେରି ଯାଇଥାନ୍ତି । ଏହି କ୍ରମରେ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଠାରେ ୧୬ ନମ୍ବର ଜାତୀୟ ରାଜପଥ କଡରେ ଗୋଟିଏ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲାଯାଇ ଅଛି । କିନ୍ତୁ ୪ ମାସ ହେବ କର୍ମଚାରୀ ମାନେ ଦରମା ପାଇ ନଥିବାରୁ ଶେଷରେ ଆଜି ବାଧ୍ୟ ହୋଇ ଫାଟକରେ ତାଲା ମାରି ସେବା ବନ୍ଦ କରିଛନ୍ତି । ସଠିପୁର ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ମୋଟ ୧୩ଜଣ କର୍ମଚାରୀ କାର୍ଯ୍ୟ କରିବା ସହ ଜନସାଧରଣ ଓ ପଥଚାରୀଙ୍କୁ ସେବା ଯୋଗାଇଥାନ୍ତି । ମାତ୍ର ସେମାନେ ଆଜକୁ ୪ ମାସ ହେବ ଦରମା ପାଇବାରୁ ବଂଚିତ ହୋଇଛନ୍ତି । ନାମକୁ ମାତ୍ର ୫/୬ହଜାର ଦରମା ତାହା ପୁଣି ୪ ମାସ ହେବ ବନ୍ଦ ହେବାରୁ ଘରେ ଚୁଲି ଜଳିବା ଠପ ହେବାକୁ ବସିଲାଣି । ଏ ସର୍ମ୍ପକରେ ସ୍ଥନୀୟ ଜନ ପ୍ରତିନିଧି ସମେତ ବିଭାଗୀୟ ଅଧିକାରୀ ଓ ଠିକା ନେଇଥିବା ସଂସ୍ଥା ପିଏସଆଇପିଏଲ ଅଧିକାରୀଙ୍କୁ କହିବାରୁ କେହି କର୍ଣ୍ଣପାତ କରୁ ନାହାନ୍ତି । ସରକାରଙ୍କ ପକ୍ଷରୁ ଠିକା ସଂସ୍ଥାକୁ ୬ ମାସ ହେବ ନିର୍ଦ୍ଧାରିତ ଦେୟ ଅର୍ଥ ବନ୍ଦ ହୋଇଥିବାରୁ ଠିକାସଂସ୍ଥା କର୍ମଚାରୀ ମାନଙ୍କୁ ଦରମା ଦେଇ ପାରୁ ନଥିବାର ସଫେଇ ଦେଇଛନ୍ତି । ପୂର୍ବରୁ ୧ ତାରିଖରେ ଦରମା ମିଳୁଥିବା ବେଳେ ଚିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବରୁ ଦରମା ନେଇ ବନ୍ଦ କରାଯାଇଥିବାରୁ ନଭେମ୍ବର ୨୦ରୁ ୨୫ ମଧ୍ୟରେ ଦରମା ଯୋଗାଯିବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ଅବଧି ଦରମା ମିଳିନି କି ସନ୍ତୋଷ ଜନକ ଉତର ବି ମିଳୁନି । ଅନିଶ୍ଚିନ୍ତତା ମଧ୍ୟରେ ଏବେ କର୍ମଚାରୀଙ୍କ ଭାଗ୍ୟ । ଫଳରେ ରାଜ୍ୟର ସମସ୍ତ ୪୩ଟି ସୁବିଧାକେନ୍ଦ୍ରରେ ଆଜି ତାଲା ପଡିଛି । କର୍ମଚାରୀ ସହଦେବ ଦାସ, ପ୍ରତାପ ମାଝୀ, ରାକେଶ ସ୍ୱାଇଁ, କୁଳମଣୀ ବେହେରା ପ୍ରମୁଖ ଆଜି ମୁଖ୍ୟ ଫାଟକ ବନ୍ଦ କରି ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଦରମା ନମିଳିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କର୍ମଚାରୀ ମାନେ କହିଛନ୍ତି ।