-
ଆଗାମୀ ଦିନରେ ଏହି ଅନୁଷ୍ଠାନ ଦେଶର ସର୍ବୋଚ ଗବେଷଣା କେନ୍ଦ୍ର ହେବ ମୁଖ୍ୟ ଅତିଥି

ବ୍ରହ୍ମପୁର-ସହର ଉପକଣ୍ଠ ଲାଉଡିଗା ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଶିକ୍ଷାନୁଷ୍ଠାନର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରକ୍ଷା ମନ୍ତ୍ରାଳୟର ପ୍ରାକ୍ତନ ସଚିବ ଡ. ଜି ସତିସ ରେଡ୍ଡୀ ଯୋଗ ଦେଇଥିଲେ। ଗୋଟିଏ ଦେଶରେ ଯେତେ ପରିମାଣରେ ଗବେଷକ ଓ ବୈଜ୍ଞାନିକ ସଂଖ୍ୟା ବୃଦ୍ଧି ହେବ ସେହି ଦେଶ ସେତେ ସୃଦୃଢ ଓ ଶସକ୍ତ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଦେଶ ଏକ ଲକ୍ଷରୁ ଉର୍ଦ୍ଧ ସଫଳତା ହାସଲ କରିଥିବା ବେଳେ ଏହିପରି ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ। ଅନ୍ୟପଟେ ବ୍ରହ୍ମପୁର ଆଇଜରର ପରିବେଶ ବିଜ୍ଞାନ ଗବେଷଣାର ବିଦ୍ୟାର୍ଥୀଙ୍କ ପାଇଁ ବେଶ ସୌହାର୍ଦ୍ୟପୂର୍ଣ୍ଣ ରହିଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଏହା ଦେଶର ଏକ ସର୍ବୋଚ୍ଚ ବିଜ୍ଞାନ ଓ ଗବେଷଣା କେନ୍ଦ୍ର ଭାବେ ପରିଗଣିତ ହେବ ବୋଲି ମୁଖ୍ୟ ଅତିଥି ଡ ଜି ସତିସ ରେଡ୍ଡୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଆଇଜର ଚେୟାରମେନ ସୁଧିର ଉତ୍ତମଲାଲ ମେହେତା ଯୋଗ ଦେଇ ଖୁବ କମ ସମୟ ଭିତରେ ଆଇଜର ଓ ଏହାର ବିଦ୍ୟାର୍ଥୀଙ୍କ ସଫଳତା ବିଷୟରେ କହିଥିଲେ। ସେହିପରି ଚଳିତ ବର୍ଷ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ ଲାଭ କରିଥିବା 120 ଜଣ ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଚଳିତ ଥର ଏହି ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ବିଭିନ୍ନ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବେଶ ସହାୟକ ହେବେ ବୋଲି ଡାଇରେକ୍ଟର ପ୍ରଫେସର ଗାଙ୍ଗୁଲି କହିଛନ୍ତି। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଡିନ ପ୍ରଫେସର ୟୋଗେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରେଜିଷ୍ଟାର ପ୍ରଦିପ କୁମାର ରୟ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସମସ୍ତ ବରିଷ୍ଟ ପ୍ରଫେସରମାନେ ମଞ୍ଚାସିନ ଥିଲେ। ସେହିପରି ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Posted by: Desk, Indo Kaling Times
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO