ବୌଦ୍ଧ, ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ଅଘଟଣ । ଆତ୍ମହତ୍ୟା କରି ଜୀବନ ହାରିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ । କଏଦୀ ଜଣକ ଜମଘାଟି ଗ୍ରାମର ରବିନ୍ଦ୍ର ମେହେର । ପରିବାରର ଦୁଇ ଜଣଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିଲେ ରବିନ୍ଦ୍ର । ଜେଲ୍ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ରବିନ୍ଦ୍ର ଜଣେ ମାନସିକ ରୋଗୀ ବୋଲି ଜେଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଜମଘାଟି ଗ୍ରାମର ରବିନ୍ଦ୍ର ମେହେର ଗତ ୨୦୧୫ ମସିହାରେ ନିଜ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦ୍ଵାରା ଗିରଫ ହୋଇ ବୌଦ୍ଧ ଜେଲ୍ କୁ ଆସିଥିଲେ । ପରେ ତାଙ୍କୁ ୨୦୧୮ ମସିହାରେ ବୌଦ୍ଧ ଜିଲ୍ଲା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଆଜି ରବିନ୍ଦ୍ର ଜେଲ୍ ରେ ରାତିର ଖାଦ୍ୟ ଖାଇ ସାରିବା ପରେ ଶୌଚାଳୟକୁ ଯାଇଥିଲେ ଏବଂ କିଛି ସମୟ ପରେ ଅନ୍ୟ କଏଦୀ ତାଙ୍କୁ ବେକରେ ଗାମୁଛା ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ଜେଲ୍ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଜେଲ୍ କର୍ତୃପକ୍ଷ ଘଟଣାସ୍ଥଳରେ ପହଂଚିଲା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ରବିନ୍ଦ୍ର ଜଣେ ମାନସିକ ରୋଗୀ ଏବଂ ସେ ୨୦୧୭ ମସିହାରୁ ଚିକିତ୍ସିତ ହେଉଛନ୍ତି ବୋଲି ଜେଲ କର୍ତୃପକ୍ଷ ସୂଚନା ଦେବା ସହିତ ୨୦୧୭ ରେ ପ୍ରଥମେ ସମ୍ବଲପୁର ଜେଲ୍ କୁ ପଠାଯାଇ ସେଠାରେ ବୁର୍ଲାରେ ତାଙ୍କୁ ଚିକିତ୍ସିତ କରାଯାଉଥିଲା ଏବଂ ପରେ ତାଙ୍କୁ ୨୦୧୯ ରେ ଅଧିକ ଚିକିତ୍ସା ପାଇଁ କଟକ ଚୌଦ୍ଵାର ଜେଲ୍ କୁ ମଧ୍ୟ ପଠାଯାଇଥିବା ସୂଚନା ଦେଇଛନ୍ତି । ପରିବାର ବର୍ଗ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ।