ଗଞ୍ଜାମ, ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ତିନୋଟି ସ୍ଥାନରେ ଚଢ଼ଉ କରାଯାଇ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୩ଟି ଗାଡି ଜବତ ହୋଇଛି । ଜବତ ଗଞ୍ଜେଇ, ଦୁଇଟି କାର୍ ଓ ଗୋଟିଏ ବୋଲେରୋର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ହେବ ବୋଲି ସୂଚନା ମିଳିଛି ।
ଗଜପତି ଅଂଚଳରୁ ଗଞ୍ଜେଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା । ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ଵରେ ଜଗନ୍ନାଥପୁର ଛକ ନିକଟ ଜାତୀୟ ରାଜପଥରେ ଯାନବାହନ ଯାଂଚ୍ କରାଯାଉଥିଲା । ଭୁବନେଶ୍ଵର ଅଭିମୁଖେ ଯାଉଥିବା ଦୁଇଟି କାରରୁ ୧୬୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏ ସଂକ୍ରାନ୍ତରେ ଝାଡ଼ଖଣ୍ଡ ଅଂଚଳର ଫିରୋଜ ଖାନ୍ ଓ ମହମ୍ମଦ ସଜିବକୁ ଗିରଫ କରାଯାଇଥିଲା ।
ସେହିପରି ଏକ ବୋଲେରୋରୁ ୧୪୦ କେଜି ଗଞ୍ଜେଇ ଜବତ ହୋଇଛି । ଏ ସଂକ୍ରାନ୍ତରେ ପୁରୁଷୋତମପୁର ଶିକୁଳାର ମହେଶ ପାତ୍ର ଓ ଡେଙ୍ଗାଓସ୍ତାର ଅଜୟ ବେହେରାଙ୍କୁ ଗିରଫ କରାଯାଇଛି ।