ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପରାହ୍ନରେ ସମୁଦ୍ର କୂଳ ନିକଟରେ ଅବସ୍ଥିତ ବାଲିଆ ପଣ୍ଡା ଅଞ୍ଚଳରେ 3 ଏକର ସରକାରୀ ଜମି ପରିଦର୍ଶନ କରିଛନ୍ତି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ସମର୍ଥ ବର୍ମା ଉପସ୍ଥିତ ରହି ଏହି ଜମି ଦେଖାଇଥିଲେ। ପଶ୍ଚିମବଙ୍ଗର ଭକ୍ତ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ପଶ୍ଚିମବଙ୍ଗ ଗେଷ୍ଟ ହାଉସ୍ ତଥା ପଶ୍ଚିମବଙ୍ଗ ଭବନ ଏଠାରେ ନିର୍ମାଣ ହେବ। ଏଥିପାଇଁ ପଶ୍ଚିମବଙ୍ଗ ସରକାର ଟଙ୍କା ଖର୍ଚ୍ଚ କରିବେ। ଏହି ଜମିକୁ ମମତା ବାନାର୍ଜୀ ଦେଖିବା ପରେ ଖୁସି ବ୍ୟକ୍ତ କଲେ | ଏହା ପରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ମମତା ଏବଂ ତାଙ୍କ ମନ୍ତ୍ରୀ ମଣ୍ଡଳ ସଦସ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବେଢା ମନ୍ଦିର ପରିଦର୍ଶନ କରିଥିଲେ। ଏହା ପରେ ମମତାଙ୍କ ଉପସ୍ଥିତିରେ ତାଙ୍କ ନାମରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ପତାକା ବନ୍ଧା ଯାଇଥିଲା।ଦର୍ଶନ ସାରି ସିଂହଦ୍ୱାର ବାଟ ଦେଇ ପ୍ରସ୍ଥାନ କରିବା ସମୟରେ ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ, ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥ ଫଟୋ ଚିତ୍ର ଏବଂ ଖଣ୍ଡୁଆ ପାଟ ପ୍ରଦାନ କରି ଆଶୀର୍ବାଦ କରିଥିଲେ |ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ପ୍ରଶାସନ, ସାମ୍ବାଦିକ, ଦଇତାପତି ସେବକ ଏବଂ ପୁରୀ ବାସିନ୍ଦାଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।
Related Stories
November 23, 2024