-
ଅପ୍ରେଲ ୪ରୁ ମଇ ୧ ପର୍ଯ୍ୟନ୍ତ ୨୮ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଯାତ୍ରା
ଗଞ୍ଜାମ, ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗତକାଲି ରାତି ୨ଟାରେ ଶୁଭ ଖୁଂଟି ସ୍ଥାପନ ହୋଇଛି । ବିଳମ୍ବିତ ରାତିରେ ଠାକୁରାଣୀଙ୍କ ପିତା ଦେଶି ବେହେରା ତଥା ପି. ଦୂର୍ଗାପ୍ରସାଦ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ଠାକୁରାଣୀ ମନ୍ଦିରକୁ ଯାଇ ସେଠାରେ ୯ ଗଣ୍ଠି ବିଶିଷ୍ଟ ଏବଂ ୯ ଫୁଟ୍ ଉଚ୍ଚତାର ଏହି ଶୁଭଖୁଂଟିକୁ ପୂଜାର୍ଚ୍ଚନା କରିଥିଲେ । ଶୁଭଖୁଂଟି ଓ ଆଜ୍ଞାମାଳ ସହ ମାଙ୍କ ମନ୍ଦିରରୁ ନିଜ ବାସଭବନ ସମ୍ମୁଖକୁ ଆସିଥିଲେ । ସେଠାରେ ଏକ ପିଣ୍ଡିରେ ଏହି ଶୁଭଖୁଂଟି ସ୍ଥାପନ କରାଯାଇଥିଲା । ଏହି ଶୁଭଖୁଂଟିଟିକୁ ପୃଷ୍ଟି ପରିବାର ପକ୍ଷରୁ ପୂର୍ବରୁ ପୂଜାର୍ଚ୍ଚନା ଉପବାସ ସହକାରେ ଦେଶି ବେହେରାଙ୍କୁ ସମର୍ପଣ କରାଯିବାର ପରମ୍ପରା ରହିଛି । ଶୁଭଖୁଂଟି ସ୍ଥାପନ ପରେ ଦେଶି ବେହେରାଙ୍କ ଘର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଡେପୁଟି ମେୟର୍ ଇ. ବିବେକ ରେଡ୍ଡି, କର୍ପୋରେଟର କେ. ଶ୍ରୀନିବାସ, ଏମ. ଆପ୍ପାରାଓ, ପି. ଦୂର୍ଗାପ୍ରସାଦଙ୍କ ସମେତ ସ୍ଥାନୀୟ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ବୈଠକରେ ଜ୍ୟୋତିଷଙ୍କ ଗଣନା ଅନୁସାରେ ଆସନ୍ତା ଅପ୍ରେଲ ୪ ତାରିଖ ମଙ୍ଗଳବାର ଠାରୁ ୨୮ ଦିନ ବ୍ୟାପୀ ତଥା ମଇ ୧ ସୋମବାର ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ତେବେ ଯାତ୍ରା ପୂର୍ବରୁ ପି. ଦୂର୍ଗାପ୍ରସାଦ ଏବଂ ଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ଭେଟି ଯାତ୍ରା ପାଇଁ ଅନୁମତି ପାଇବା ପରେ ଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।