ଜୟପୁର, ଜୟପୁରରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନା ପରିସରରେ ଏସପି ଅଭିନବ ସୋନକାର ଏକ ସାମ୍ବାଦିକ ସମ୍ମିଳନି କରି ସୂଚନା ଦେଇଛନ୍ତି ଯେ,୫ ଜଣ ଦୁର୍ବୁତ୍ତ ଗତ ୪ ତାରିଖରେ ଜୟପୁରର ବ୍ୟବସାୟୀଙ୍କ ପୁଅ ଉପରକୁ ଗୁଳିମାଡ କରିଥିଲେ । ଏଥିରୁ ଅଳ୍ପକେ ବର୍ତିଥିଲେ ଆଦର୍ଶ ଅଗ୍ରୱାଲ । ଆଦର୍ଶ ଅଗ୍ରୱାଲ (୨୩) ହେଉଛନ୍ତି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ ପୁଅ । ଜାତୀୟ ରାଜପଥ ନମ୍ବର ୨୬ ର ଲକ୍ଷ୍ମୀ ପଣ୍ଡା ଛକ ଡେଙ୍ଗାତୋଟା ମଶାଣି ନିକଟରେ କାର ଉପରେ ୨ ରାଉଣ୍ଡ ଗୁଳି ଚାଳନା କରି ଖସିଯାଇଥିଲେ ଦୁର୍ବୁତ। ଘଟଣାସ୍ଥଳରୁ ୨ଟି ୯ ଏମଏମ ଖୋକାକୁ ଜବତ କରିଥିଲା ଜୟପୁର ଟାଉନ ପୋଲିସ । ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଗୋଟିଏ ଟିମ ଗଠନ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖ୍ରୀଷ୍ଟିଆନପେଟାର ଅଭିଜିତ ମହୁରିଆ ଓରଫ ଜିହିତ (୨୪), ଯମୁନାଗୁଡାର ଫିରୋଜ ନାଗ (୨୨) ଓ ହାନାଗୁଡାର ସଚିନ ନାୟକ (୨୩)। ଫେରାର ଅଭିଯୁକ୍ତ ମାନେ ହେଲେ ଜୟନଗରର ଇମ୍ରାନ ଖାନ, ଜୟପୁର ସହର ବ୍ଲକ କୋଲନିର ଟୁଲୁ ଖୋସଲା । ଏହି ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ଠାରୁ ପିସ୍ତଲ, ମୁଖା, ୪ଟି ସିମକୁ ଜବତ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ଅଭିଯୁକ୍ତ ସଚିନ ନାୟକ ସେଠାରେ କାମ କରୁଥିଲା । ମାଲିକର ସମସ୍ତ ତଥ୍ୟ ଅପରାଧୀ ମାନଙ୍କୁ ଦେଉଥିଲା । ଗତ ୪ ତାରିଖ ଦିନ ମାଲିକ ଆଦର୍ଶ ବାହାରିବା ସବୁ ତଥ୍ୟ ଦେଇଥିଲା। ସେହି ଆଧାରରେ ଅପରାଧୀ ମାନେ ଅପେକ୍ଷା କରି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ବିଗତ ଦିନରେ ନକଲି ସିମରେ ଫୋନ କରି ଆଦର୍ଶକୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନିରେ ଜୟପୁର ଏସଡିପିଓ ହରିସ ବିଶି, କୋରାପୁଟ ଏସଡିପିଓ ମନୋଜ ପୁଜାରି, ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା, ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି ଉପସ୍ଥିତ ଥିଲେ ।