ସମ୍ବଲପୁର, ସମ୍ବଲପୁର କଚେରୀ ଛକରେ ଲାଗିଥିବା ୧୪୪ ଧାରାର ଅବଧିକୁ ପୁଣି ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ କଟକଣା ବଳବତର ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜିବୀଙ୍କ ଆନ୍ଦୋଳନ ଗତ ୧୨ ତାରିଖରେ ଉଗ୍ର ରୂପ ନେଇଥିଲା । କଚେରି ଛକ କୁରୁକ୍ଷେତ୍ର ପାଲଟିଥିଲା । ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଓକିଲ ଓ ପୁଲିସ୍ । ପୋଲିସ ଫୋର୍ସ ଉପସ୍ଥିତ ଥିବା ସତ୍ବେ କୋର୍ଟ ରୁମ୍ ଭିତରକୁ ଧଶେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ ଆଇନଜିବୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ପରେ କଚେରି ଛକରେ ୧୪୪ ଜାରି କରିଥିଲା ଜିଲ୍ଲା ପ୍ରଶାସନ । କଚେରୀ ଛକରେ କୋର୍ଟ ପରିସରର ୨୦୦ ମିଟର ପରିଧି ଭିତରେ ଏହି ୧୪୪ ଧାରା ବଳବତର ରହିଥିଲା । ପ୍ରଥମେ ୨୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ୧୪୪ ଧାରାର ସମୟସୀମା ବୃଦ୍ଧି କରାଯାଇଥିଲା । ହେଲେ ଏବେ ସ୍ଥିତିକୁ ଦେଖି ପୁଣି ଥରେ ଏହି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ ।
ଅନ୍ୟପକ୍ଷରେ ଆଇନଜିବୀଙ୍କ ଆନ୍ଦୋଳନ ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ୨୭ ଜଣ ଓକିଲ, ଜଣେ ସାଧାରଣ ନାଗରିକ ଓ ୮ ଜଣ କିନ୍ନର ଗିରଫ ହେଲେଣି । ହେଲେ ଗିରଫଦାରୀକୁ ବିରୋଧ କରି ଏଯାଏଁ କାର୍ଯ୍ୟରେ ଯୋଗଦେଇନାହାଁନ୍ତି ଆଇନଜିବୀ ।