ଗଞ୍ଜାମ, ଚଳିତ ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ଠାରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା ଏବଂ ବେଳାଭୂମି ମହେତ୍ସବ -୨୦୨୨ । ଏଥି ସକାଶେ ଜିଲ୍ଲା ପ୍ରଶାସନ ଦ୍ବାରା ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଅଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ କିଭଳି ଜନ ସାଧାରଣଙ୍କ ନିମନ୍ତେ ଆକୃଷ୍ଟ ହେବ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଚଳିତ ମାସ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ୨୦୦ ଗୋଟି ଷ୍ଟଲ୍ ରେ ସ୍ବୟଂ ସହାୟକ ଗୋଷ୍ଠୀ, କଳାକାର ମାନଙ୍କର ସାମଗ୍ରୀ ପ୍ରଦର୍ଶୀତ ହେବା ସହିତ ବିକ୍ରିବଟା କରିପାରିବେ । ସ୍ଥାନୀୟ କଳାକାରଗଣ ଯେଭଳି ଅଧିକ ସଂଖ୍ୟାରେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି। ଯେଉଁ ଅନୁଷ୍ଠାନ ଗୁଡିକ ଗୋପାଳପୁର ବେଳାଭୂମି ମହୋତ୍ସବ, ଛତ୍ରପୁର ପଲ୍ଲିଶ୍ରୀ ମେଳା ଏବଂ ବେରହ୍ମପୁର ପଲ୍ଲିଶ୍ରୀ ମେଳାରେ ଦଳୀୟ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ । ଦଳଗତ ନୃତ୍ୟ ପରିବେଷଣ ସକାଶେ ଜିଲ୍ଲା ସଂସ୍କୃତି ଅଧିକାରୀ, ଗଞ୍ଜାମଙ୍କୁ ଆବେଦନ କରି ନିଜର ଆବେଦନ ପତ୍ର ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଛତ୍ରପୁର କିମ୍ବା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରେ ଚଳିତ ମାସ ୧୧ ଡିସେମ୍ବର ସୁଦ୍ଧା ନିଜର ଆବେଦନ ପତ୍ର ଯୋଗାଯୋଗ ନମ୍ବର ସହିତ ଆବେଦନ କରିପାରିବେ । ଡିସେମ୍ବର ୧୨ ତାରିଖ ଏବଂ ୧୩ ତାରିଖ ଏହି ଦୁଇ ଦିନ ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଚୟନ କରାଯିବା ନିମନ୍ତେ ସ୍ଥିର କରାଯାଇଅଛି । ସେହି ଚୟନ କାର୍ଯ୍ୟକ୍ରମରେ ସାମିଲ ହୋଇ ଚୟନ ହୋଇଥିବା ସ୍ଥାନୀୟ କଳାକାର ଗୋଷ୍ଠୀଙ୍କୁ ବେଳାଭୂମି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ।
ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଏକ ସ୍ମରଣୀକା ‘ଶାମୁକା ‘ ପ୍ରକାଶିତ ହେବ । ଏହି ସ୍ମରଣୀକା ସକାଶେ ବିଶିଷ୍ଟ ଲେଖକ ମାନଙ୍କ ଠାରୁ ଗଞ୍ଜାମ ଜିଲ୍ଲା ସମ୍ପର୍କିତ କଳା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ଜଡିତ ଗବେଷଣାତ୍ମକ ଲେଖା ଗୁଡିକ ପ୍ରକାଶିତ ହେବ । ଏଥି ନିମନ୍ତେ ଇଚ୍ଛୁକ ଥିବା ଲେଖକଗଣ ସେମାନଙ୍କ ଓଡିଆ କିମ୍ବା ଇଂରାଜୀ ପ୍ରବନ୍ଧ ଲେଖା ଚଳିତ ମାସ ୨୦ ତାରିଖ ସୁଦ୍ଧା ସେମାନଙ୍କ ଲେଖା ଗୁଡିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଞ୍ଜାମ ଙ୍କୁ ପଠାଇବା ସକାଶେ ଅନୁରୋଧ କରାଯାଉଛି । ଲେଖା ଗୁଡିକ ଶ୍ରୀଲିପିରେ ଟାଇପ୍ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଇ-ମେଲ ganjamdipro@gmail.com ଙ୍କୁ ସଫ୍ଟ କପି ପ୍ରେରଣ କରିବା ସହିତ ହାର୍ଡ କପି ମଧ୍ୟ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ପଠାଇ ଥିବା ସଂପୃକ୍ତ ଲେଖା ଗୁଡିକ ସମ୍ପର୍କିତ କିଛି ଫଟୋଚିତ୍ର ଯଦି ଥାଏ ତେବେ ସେଗୁଡିକୁ ମଧ୍ୟ ଉପରେ ଦର୍ଶାଯାଇଥିବା ଇ-ମେଲ୍ ଠିକଣାରେ ପ୍ରେରଣ କରିବାକୁ ଅନୁରୋଧ କରାଯାଉଛି । ଲେଖା ପ୍ରେରଣ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ଠିକଣା ଏବଂ ଯୋଗାଯୋଗ ନମ୍ବର ମଧ୍ୟ ଉକ୍ତ ଲେଖା ପରିଶେଷରେ ଦର୍ଶାଇବାକୁ ଅନୁରୋଧ କରାଯାଉଅଛି । ଲେଖା ଗୁଡିକ ସମ୍ପାଦକ ମଣ୍ଡଳୀଙ୍କ ଦ୍ବାରା ଚୟନ ହେବା ପରେ ଉକ୍ତ ଲେଖା ଗୁଡିକୁ ବା ପ୍ରବନ୍ଧ ଗୁଡିକୁ ପ୍ରକାଶନ କରାଯିବ ।