ପୁରୀ, ଶହୀଦ ଜୟୀ ରାଜଗୁରୁ ଚିର ଅମର। ତାଙ୍କ ବିରତ୍ଵ,ସାହସ ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ବୀର ହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଜୟୀ ରାଜଗୁରୁ ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ। ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶକୁ ଅଧିକ ପ୍ରଚାର ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ୧୭୩୯ ମସିହା ଅଁଳା ନବମୀ ତିଥିରେ ଜନ୍ମ ହୋଇ ୧୮୦୬ ଆଜିର ଦିବସରେ ଶହୀଦ ହୋଇଥିବା ଜୟୀ ରାଜଗୁରୁଙ୍କ ଦେଶପ୍ରୀତି ଅତୁଳନୀୟ ବୋଲି କହିବା ସହ ବର୍ତ୍ତମାନ ଓ ଭବିଷ୍ୟତର ପିଢି ତାଙ୍କ ଆଦର୍ଶ ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ଅନୁରୋଧ କରିଥିଲେ। ଗୋପିନାଥ ଦେବସ୍ଥାନ ସମିତିର ସଭାପତି ପ୍ରଣବାନନ୍ଦ ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ. ଜଟାଧାରୀ ମିଶ୍ର, ସରପଞ୍ଚ ପ୍ରତିନିଧି ଉଲ୍ଲାସ ଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ରଥ, ରବିନାରାୟଣ ମିଶ୍ର, ସମିତି ସଭ୍ୟ ଅଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଜୟୀ ରାଜଗୁରୁଙ୍କ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ ପାଇକ ରେବିଲିଅନ ୧୮୦୪ କୁ ଜଟାଧାରୀ ମିଶ୍ର ଅତିଥି ମାନଙ୍କୁ ଉପହାର ଦେଇଥିଲେ। ଦେବସ୍ଥାନ ସମିତିର ସଦସ୍ୟ ପ୍ରକୃତି ମିଶ୍ର ,ଶକ୍ତି ପ୍ରସାଦ ମିଶ୍ର ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ବୀର ହରେକୃଷ୍ଣପୁର ବଜାର ସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଗ୍ରାମ ନିକଟସ୍ଥ ଲୋକନାଥ ମନ୍ଦିର ପୁଷ୍କରିଣୀ ଠାରେ ସାମୁହିକ ତିଳତର୍ପଣ କରାଯାଇଥିଲା।
ଏହି ଅବସରରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ।ସମର୍ପଣ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ସଦସ୍ୟ ବଦ୍ରି ମିଶ୍ର ଓ ଜୟନ୍ତୀ ମହାପାତ୍ରଙ୍କ ସଂଯୋଜନାରେ ଗଦାଧର ପାଠାଗାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୀର ହରେକୃଷ୍ଣପୁର ବଜାର ଠାରେ ପାଲା ପରିବେଷଣ କରାଯାଇଥିଲା ଓ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଭଜନ ପରିବେଷଣ କରାଯାଇଥିଲା।