ରାଉରକେଲା, ରାଉରକେଲା ସହରରେ କାମ ହୋଇଥିବା ସ୍ଵେରେଜ କାମରେ ବିଭ୍ରାଟ ହୋଇଥିବାରୁ ବର୍ତ୍ତମାନ ସହରରେ ଲୋକେ ନିଜ ଘରର ପାଇଖାନାକୁ ସ୍ଵେରେଜ ଲାଇନ ସହ ସଂଯୋଗ କରିଦେବାରୁ ସହରର ଅନେକ ସ୍ଥାନରେ ଡ୍ରେନ ଗୁଡିକ ଉଛୁଳି ରାସ୍ତାରେ ପାଇଖାନା ପାଣି ଭାସୁଛି। ଏନେଇ ବାରମ୍ବାର ସ୍ଵେରେଜ ବିଭାଗକୁ କୁହାଗଲେ ମଧ୍ୟ ସେମାନେ ଏଲଆଣ୍ଡଟି ବାଲାଙ୍କୁ ପଠାଉଛୁ ବୋଲି କହି ଦେଇ ନିରବ ରହୁଛନ୍ତି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗତ ୨ ବର୍ଷ ଭିତରେ ଏଲଆଣ୍ଡଟି କଂପାନୀ ସ୍ଵେରେଜ ଲାଇନ ବିଛାଇ ଘର ଗୁଡିକ ପାଖରେ ମେନ ହୋଲ କରିଦେଇଗଲା, ଏହା ପରେ ପ୍ରଚାର କରାଗଲା ଘରମାଲିକ ମାନେ ନିଜ ଖର୍ଚ୍ଚରେ ନିଜ ଘରର ପାଇଖାନା ଲାଇନକୁ ସ୍ଵେରେଜ ଲାଇନରେ ସଂଯୋଗ କରନ୍ତୁ ନହେଲେ ମହାନଗର ନିଗମ ଦ୍ଵାରା ଦଣ୍ଡିତ ହେବେ । ଏହାଦ୍ଵାରା ଯିଏ ଯେମିତି ମିସ୍ତ୍ରୀ ଡାକି ନିଜ ଘରର ନାଳକୁ ସଂଯୋଗ କରିଦେଲେ । କିଛିଦିନ ପରେ ସେହି ନାଳ ସଂଯୋଗ ହୋଇଥିବା ମେନହୋଲ ଉଛୁଳି ରାସ୍ତାରେ ନାଳପାଣି ଭାସୁଛି । ଏହି ମଇଳା ପାଣି ଉପରେ ଗାଡି ଯାଉଥିବା ବେଳେ ଲୋକେ ମଧ୍ୟ ଅଜାଣତରେ ଚଲାବୁଲା କରୁଛନ୍ତି । ଘର ମାଲିକ ମାନେ ଫୋନ କଲେ ସ୍ଵେରେଜ ବିଭାଗ ଶୁଣୁନି । ଜିଲ୍ଲା ପ୍ରସାସନର ବାବୁ ମାନେ ଏହାକୁ ଜାଣି ମଧ୍ୟ ନଜାଣିଲା ଭଳି ରହିଛନ୍ତି । ଯଦି ଏତିକି ସଂଯୋଗରେ ଏଭଳି ପାଣି ଉଛୁଳୁଛି ତେବେ ପୁରା ସଂଯୋଗ ପରେ ସ୍ଥିତି କଣ ହେବ ଚିନ୍ତା କରି ଲୋକେ ଏହି ସଂଯୋଗକୁ ଆଉ ନକରିବାକୁ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଏନେଇ ସମସ୍ୟାର ସମାଧାନ ନକରି ବାଧ୍ୟ କରାଗଲେ ଆଇନର ଆଶ୍ରୟ ନିଆଜିବ ବୋଲି କିଛି ଆଇନଜୀବି ମତ ଦେଇଛନ୍ତି ।