ଗଂଜାମ, ଗଂଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଠାରୁ ଗୁଣ୍ଡୁରିପଲ୍ଲୀ ରାସ୍ତାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟା କରିବା ପରେ ଦୁର୍ବୁତ୍ତମାନେ ମୃତଦେହକୁ ମାଟିରେ ପୋତି ତା ଉପରେ ଡାଳ ବିଛାଇ ଚାଲିଯାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡା ଗ୍ରାମର ଜୟ ମହାନ୍ତି (୬୩) ।
ଜୟ ଦୀର୍ଘଦିନ ହେବ କ୍ବାକ ଭାବେ ବିଭିନ୍ନ ଗ୍ରାମକୁ ଯାଇ ଚିକିତ୍ସା କରୁଥିଲେ। ସବୁଦିନ ପରି ଗତକାଲି ମଧ୍ୟ ଜୟ ନିଜର ସାଇକେଲ ଓ ଚିକିତ୍ସା ବ୍ୟାଗ ଧରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଓ ଗୁଣ୍ଡୁରିପଲ୍ଲୀ ଅଭିମୁଖେ ଅପରାହ୍ନରେ ଯାଇଥିଲେ । ସନ୍ଧ୍ୟାରେ ହଠାତ ଖବର ଗ୍ରାମରେ ପହଁଚିଲା ଗୁଣ୍ଡୁରିପଲ୍ଲୀ ଠାରୁ ଖୋଜପଲ୍ଲୀ ରାସ୍ତାର ଏକ ପୋଲ ନିକଟରେ ଜୟ ପଡିରହିଛନ୍ତି । ନିଜ ଗ୍ରାମ ଶାଙ୍କୁଡାର କିଛି ବ୍ୟକ୍ତି ସେଠାକୁ ଯିବା ପରେ ସେହି ସ୍ଥାନରେ ଜୟଙ୍କର ସାଇକେଲ ଓ ଚପଲ ପଡିଥିବା ବେଳେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଜୟଙ୍କୁ ଦେଖିବାକୁ ପାଇ ନ ଥିଲେ । ଖଲ୍ଲିକୋଟ ଓ ବେଗୁନିଆ ପଡା ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଖୋଜିବା ପରେ ଜୟଙ୍କର ମୃତ ଶରୀର ଏକ ବିଲ ମଧ୍ୟରେ ମାଟି ତଳେ ପୋତା ହୋଇ ତାହା ଉପରେ ଡାଳ ପତ୍ର ପଡିଥିବାର ମିଳିଥିଲା । ମାଟି ଭିତରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ କିଏ ଓ କେଉଁ କାରଣରୁ ତାଙ୍କୁ ହତ୍ୟା କଲା ସେ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଜି ସକାଳେ ସାଇଣ୍ଟିଫିକ୍ ଟିମ ତଦନ୍ତ କରିଛି। ପୁଲିସ ଆଜି ସକାଳେ ମୃତଦେହ ବ୍ଯବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି।