ନୂଆଦିଲ୍ଲୀ, ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ଯେଉଁ ଭଳି ଭାବେ ବର୍ଣ୍ଣନା କରିଛନ୍ତି, ଏହା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅତୀତରେ ଆମର ସାଧବ ପୁଅମାନେ ଗଭୀର ସମୁଦ୍ରରେ ବୋଇତ ଚାଳନା ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ଯାତ୍ରା କରି ଦୁଇ ଦେଶ ମଧ୍ୟରେ ସ୍ଥାପନ କରିଥିବା ସମୃଦ୍ଧ ବାଣିଜ୍ୟ ସମ୍ପର୍କ ‘ବାଲିଯାତ୍ରା’ ପରମ୍ପରାକୁ ଜନ୍ମ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ ।