-
ବିକାଶ ସହାବସ୍ଥାନ ଓ ସହଭାଗିତା ଆଧାରିତ ହେବା ଆବଶ୍ୟକ- ରାଜ୍ୟପାଳ
ଭୁବନେଶ୍ୱର, ବିକାଶ ସର୍ବଦା ସହାବସ୍ଥାନ ଓ ସହଭାଗିତା ଉପରେ ଆଧାରିତ ହେବା ଆବଶ୍ୟକ ଯଦ୍ୱାରା ଏହାର ସଫଳତା ଓ ସୁଫଳ ଜନସାଧାରଣଙ୍କ ପାଖରେ ପହଂଚିପାରିବ ଏବଂ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତି ଓ ପ୍ରଗତି ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ଅଲ୍ ଓଡ଼ିଶା କଂଟ୍ରାକ୍ଟରସ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଓଡ଼ିଶା ଇନ୍ଫ୍ରାଷ୍ଟ୍ରକ୍ଚର କନ୍କ୍ଲେଭ୍-୨୦୨୨ କୁ ପ୍ରଦୀପ ପ୍ରଜ୍ୱଳନ ସହ ଉଦ୍ଘାଟନ କରି ରାଜ୍ୟପାଳ ରାଜ୍ୟ ଓ ରାଷ୍ଟ୍ରର ଉନ୍ନତିରେ ଭିତିଭୂମିର ବିକାଶ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ବୋଲି କହିବା ସହିତ ଏଥିସହିତ ସଂପୃକ୍ତ ସମସ୍ତ ଭାଗିଦାରୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ନିଜର ଏବଂ ଜନସାଧାରଣଙ୍କ ପ୍ରତି ଦାୟିତ୍ୱ ଓ କର୍ତବ୍ୟ ପ୍ରତି ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି କନକ୍ଲେଭ୍ ରାଜ୍ୟରେ ଭିତିଭୂମିର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ମାନବ ସମ୍ବଳର ବିକାଶ ସହିତ ଭିତିଭୂମିର ବିକାଶ ବିଶେଷ ଗୁରୁତ୍ୱବହନ କରିଥାଏ ବୋଲି କହିଥିଲେ । ଭିତିଭୂମିର ଉନ୍ନତି ପାଇଁ ଦକ୍ଷତା ,ଟେକ୍ନୋଲୋଜି, ଅର୍ଥ ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଏପରି ଚାରିଟି ଦିଗପ୍ରତି ଦୃଷ୍ଟି ଦିଆଯିବା ଉପରେ ଜୋର ଦେଇଥିଲେ । ଅନ୍ୟତମ ଅତିଥି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଜିଏମ ସି.ଏସ୍.ଶର୍ମା ଭିତିଭୂମିର ଉନ୍ନତି ପାଇଁ ଷ୍ଟେଟ୍ ବ୍ୟାଙ୍କ ସବୁପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢାଇଛି ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ବୋଲି କହିଥିଲେ । ସେହିପରି ଅନ୍ୟତମ ଅତିଥି ୱାଟକୋର ସିଇଓ ଇଂ ପ୍ରଦୀପ୍ତ କୁମାର ସ୍ୱାଇଁ ଏବଂ ଅଲ୍ ଓଡ଼ିଶା କଂଟ୍ରାକ୍ଟରସ୍ ଆସୋସିଏସନ୍ ର ସଭାପତି ଜଗଦୀଶ ପାତ୍ର ମଧ୍ୟ ଉଦ୍ବୋଧନ ଦେଇଥିଲେ ।
ରାଜ୍ୟପାଳ ଇଂ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ ଆୱାର୍ଡ଼ ଅଫ୍ ଏକ୍ସଲେନସ୍ ଓ ୱାଟକୋର ଇଂ ଭକ୍ତି ପ୍ରକାଶ ମହାପାତ୍ରଙ୍କୁ ଇଂଜିନିୟରିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କୃତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଚିତ୍ରକଳା ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ କୃତୀ ପ୍ରତିଯୋଗୀ , ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।