-
ଶିଳ୍ପାୟନ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ବିଧାୟକ ମାନେ ଦିଅନ୍ତୁ ସହଯୋଗ
ଭୁବନେଶ୍ୱର, ରାଜ୍ୟ ସରକାର ଶିଳ୍ପାୟନକୁ ଖୁବ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଭଳି ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ହେବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଜନ ହେବ ସେ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ତେଣୁ ବିଧାୟକ ମାନେ ସେମାନଙ୍କ ଅଂଚଳରେ କେହି ଯଦି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ପ୍ରସ୍ତୁତ ଅଛନ୍ତି ସେମାନେ ତାଙ୍କୁ ନେଇ ଆସନ୍ତୁ । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରା ଯିବ ବୋଲି ରାଜ୍ୟର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ବିଧାୟକ ଧୃବ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତର ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ କୌଣସି ସ୍ଥାନରେ ଯଦି କେହି ଇକୋ ଟୁରିଜିମ ପାଇଁ କୌଣସି ଇକୋ ରିସୋର୍ଟ ଆଦି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସେମାନଙ୍କୁ ପ୍ରଥମେ ସେମାନଙ୍କର ଯୋଜନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ପଡିବ । ଏଥିରେ ବ୍ୟୟ ଅଟକଳ, କେତେ ଲୋକଙ୍କୁ ରୋଜଗାର ମିଳିବ ଆଦିର ଉଲ୍ଲେଖ ରହିଥିବା ଦରକାର । ବିଭାଗ ଏହାକୁୂ ପରୀକ୍ଷା ନୀରିକ୍ଷା କରିବ । ଏହା ପରେ ଯଦି ପ୍ରକଳ୍ପର ମୂଲ୍ୟ ୫୦ କୋଟିରୁ ଉର୍ଧ ହୋଇଥିବ ତେବେ ତାକୁ ସିଙ୍ଗଲ ବିଣ୍ଡୋରେ ଓ ୫୦ କୋଟିରୁ କମ ହେଲେ ଜିଲାପାଳଙ୍କ ନିକଟରେ ଏହାକୁ ଅନୁମୋଦନ ଦିଆ ଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ । ଶ୍ରୀ ଦେବ ବିଧାୟକ ମାନଙ୍କୁ ଏ ସମ୍ପର୍କରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।