
ରାଉରକେଲା, ରାଉରକେଲା ଜିଲ୍ଲା କଂଗ୍ରେସ ଅଫିସରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହେବା ନେଇ ପ୍ଲାଟଂସାଇଟ ଥାନାରେ ଏତଲା ହେବାକୁ ୪ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାଏ ମାମଲାର ତଦନ୍ତ ସରୁନି କିମ୍ବା ଏତଲାକାରୀଙ୍କୁ ନ୍ୟାୟ ମିଳୁନି। ଫଳରେ ଏତେ ବଡ ଜାତୀୟ ଦଳ ଅଫିସରୁ ଚୋରି ହେବା ଓ ସେ ଘଟଣାର ତଦନ୍ତ ଏଯାଏ ନସରିବା ନେଇ ନାନା ପ୍ରଶ୍ନ ଉଠିଛି ।
ଖବରରୁ ପ୍ରକାଶ ଯେ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜର୍ଜ ତିର୍କୀ ଥିବା ବେଳେ ଅଫିସ ଭିତରେ ବହୁ ମୂଲ୍ୟବାନ ସାମଗ୍ରୀ ମାନ ଥିଲା,ଏପରିକି ପୂର୍ବରୁ ଥିବା ସଭାପତି ବୀରେନ ସେନାପତିଙ୍କ ସମୟରେ ମଧ୍ୟ ଅନେକ ସାମଗ୍ରୀ ଅଫିସରେ ଥିବା କୁହାଯାଉଛି, ହେଲେ ଜର୍ଜ ବାବୁ ଇସ୍ତଫା ଦେବା ପରେ ହଠାତ ଅଫିସରେ ଲାଗିଥିବା ବୋର୍ଡ ଠାରୁ ଆରମ୍ଭ କରି ବହୁ ମୂଲ୍ୟବାନ ସାମଗ୍ରୀ, ଚେୟାର ଟେବୁଲ ଆଦି ଚୋରି ହୋଇଯାଇଛି ବୋଲି ଦଳର କର୍ମୀ ଫିରଦୋଷ ନାମକ ଯୁବକ ପ୍ଲାଟଂ ସାଇଟ ଥାନାରେ ଏତଲା ଦେଇଥିଲେ । ଏତଲାରେ କିଛି ଲୋକଙ୍କର ନାମ ମଧ୍ୟ ସେ ଉଲ୍ଲେଖ କରିଥିଲେ, ହେଲେ ଆଜିଯାଏ ପୁଲିସି ସେହି ମାମଲାରେ ତଦନ୍ତ ସାରୁନି କିମ୍ବା ଚୋରି ଯାଇଥିବା ସାମଗ୍ରୀ ଗୁଡିକୁ ଉଦ୍ଧାରକରି କଂଗ୍ରେସ ଦଳକୁ ଫେରାଇପାରୁନି । ଏହାଦ୍ଵାରା କୁହାଯାଉଛି ଯଦି ଦଳୀୟ ଅଫିସରୁ ସାମଗ୍ରୀ ଚୋରି ମାମଲାରେ ଦଳ ନ୍ୟାୟ ପାଇ ପାରୁନି ତେବେ ସେମାନେ ଲୋକଙ୍କୁ କଣ ନ୍ୟାୟ ଦେଇପାରିବେ ? ତେବେ ଏହି ମାମଲା ତଦନ୍ତ ବେଳେ ନୂଆ କରି କାମଚଳା ସଭାପତି ହୋଇଥିବା ଦେବବ୍ରତ ବିହାରୀଙ୍କୁ ପୁଲିସି ପଚରା ଉଚରା କରି କିଛି ବରିଷ୍ଠ ସଭ୍ୟଙ୍କ ନାମ ଦେବାକୁ କହିଥିଲା, ତେବେ ଦେବ ବାବୁ କିଛି ଲୋକଙ୍କର ନାମ ଦେବା ପରେ ତଦନ୍ତ କୁଆଡେ ଗଲା ଓ ସେହି ସଦସ୍ୟ ମାନେ କଣ ପୁଲିସିକୁ ଜଣାଇଲେ ତାହା ଜଣା ପଡିନଥିଲେ ବି ଏହି ମାମଲାର ତଦନ୍ତ ଆଗକୁ ଯାଇନଥିବା ଖବର ମିଳିଛି । ତେବେ ସଭାପତି ଦେବବ୍ରତ କହିଛନ୍ତି ଯେ, ସେ ଦାୟିତ୍ଵ ନେବା ପରେ ଅଫିସରେ ୧୦/୧୫ଟି ଚେୟାର, କିଛି ଫଟୋ ୨/୩ଟି ଦରି ପଡିଛି । ଅଫିସର କାଗଜପତ୍ର ,ଫାଇଲ, ଇତ୍ୟାଦି କିଛି ନାହିଁ । କେବଳ ବରିଷ୍ଠତା ଦୃଷ୍ଟିରୁ ଦାୟିତ୍ଵ ପାଇବା ପରେ ଦଳର ନିର୍ଦେଶ ଅନୁଶାରେ ସମସ୍ତଙ୍କୁ ନେଇ ଲୋକଙ୍କ ସମସ୍ୟା ଉପରେ କାମ କରାଚାଲିଛି । ରାଉରକେଲାରେ ଦଳର ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଉପଯୁକ୍ତ ନେତୃତ୍ଵର ଅଭାବ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ନିକଟରେ ହୋଇଥିବା ନିର୍ବାଚନ ଗୁଡିକର ସ୍ଥିତି ମଧ୍ୟ ଅନେକ ଖରାପ ରହିଛି, କିଛି ଲୋକ ଦଳକୁ ନିଜର ବ୍ୟବସାୟ ବୋଲି ଧରି ନେଇଥିବା ମଧ୍ୟ ଅଭିଯୋଗ ବିଭିନ୍ନ ସମୟରେ ହୋଇ ଆସୁଛି, ଫଳରେ ସଙ୍ଗଠନ ଆଗେଇ ପାରୁନି। ଏହାର ଫଳ ସ୍ଵରୂପ ପୁଲିସିରେ ମାମଲା ହେବା ପରେ ମଧ୍ୟ ତଦନ୍ତ ଆଗେଇବା, ନ୍ୟାୟ ମିଳିବା ପରିବର୍ତେ ମାମଲା ସେମିତି ପଡିରହିଛି ।