କନ୍ଧମାଳ, ଏକ ଟ୍ରାକ୍ଟର ଦୁର୍ଘଟଣାରେ ଫୁଲବାଣୀର ଜଣାଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ଦ୍ଵିତୀୟ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଆଜି ଅକାଳ ମୃତ୍ଯୁ ଘଟିଛି। ଶଶାଙ୍କ ଖଜୁରୀପଡା ବ୍ଲକ ରଖଲି ବେରଣା ସ୍ଥିତ ନିଜ ଫାର୍ମରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଏହା ଓଲଟି ପଡିଵା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ଶଶାଙ୍କ ଙ୍କ ମୃତ୍ଯୁ ଘଟିଥିଲା। ମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଶଶାଙ୍କ ଙ୍କ ଅକାଳ ମୃତ୍ଯୁରେ ସହରରେ ଶୋକର ଛାୟା ଖେଳିଯାଇଛି। ଶଶାଙ୍କ ସାହୁ ଜଣେ ଭଲ ସଂଗଠକ, ସମାଜସେବୀ ଓ ପରୋପକାରୀ ଵ୍ୟକ୍ତି ଥିଲେ। ସେଭ୍ ନାମକ ଏକ ସ୍ଵେଛାସେବୀ ସଂଗଠନ ଗଠନ କରି ଜିଲ୍ଲାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବିକାଶ ଦିଗରେ ଲୋକଙ୍କ ସମେତ ଜିଲ୍ଲା ପାଇଁ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଅକାଳ ମୃତ୍ଯୁରେ ଫୁଲବାଣୀ ଆନନ୍ଦବଜାର ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ବନ୍ଦ ରହିଥିଲା।
ସେହିପରି ଶଶାଙ୍କ ସାହୁଙ୍କ ମୃତ୍ଯୁରେ ସମାଜସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ବିଜୟ ମହାନ୍ତି, ଅଶୋକ ମହାନ୍ତି, ସନ୍ତୋଷ ଦିଗଲ, ନାରାୟଣ ସାହୁ,କାନଁହୂ ଚରଣ ଶତପଥୀ ସମାଜସେବୀ ମହମ୍ମଦ ଜିଆଉଦିନ, ସ୍ଵାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାସ, ସାଲୁକିଂ ମୂଖ୍ୟ ଅଶୋକ ପ୍ରଧାନ, ପାହାଡ଼ ଅନୁଷ୍ଠାନର ମୁଖ୍ୟ ପଞ୍ଚାନନ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ସେହିପରି ଶଶାଙ୍କଙ୍କ ଅକାଳ ମୃତ୍ଯୁ ଖବର ପାଇ ଫୁଲବାଣୀ ସ୍ଵେଛାସେବୀ ମହାସଂଘର ସମସ୍ତ କର୍ମକର୍ତା ପହଂଚି ଶୋକ ବ୍ୟକ୍ତ କରିଥିଲେ।