-
ବକୁଳବନ ବୁଲିବାକୁ ଯିବାକୁ ଡରିଲେଣି ପର୍ଯ୍ୟଟକ
ସାକ୍ଷିଗୋପାଳ, ଚେଇଁ ଶୋଇଛି ପୁରୀ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ । ଯାହାର ଫାଇଦା ଉଠାଇ ଚାଲିଛନ୍ତି ନିଶା ବେପାରୀ । ଫଳରେ ଅଂଚଳରେ ଭାଙ୍ଗ, ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଏହାଦ୍ଵାରା ବେପଥଗାମୀ ହେଉଛନ୍ତି ଯୁବପୀଢ଼ି ଏବଂ ପଥଭ୍ରଷ୍ଟ ହେଉଛନ୍ତି ଅପ୍ରାପ୍ତ ବୟସ୍କ ପିଲାମାନେ । ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷିଗୋପାଳର ଏହା ହେଉଛି ବର୍ତମାନର ସ୍ଥିତି । ସ୍ଥାନୀୟ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗର ଚରମ ନିଷ୍କ୍ରିୟତା ଯୋଗୁଁ ପୂର୍ବରୁ ସୁନାମ ଅର୍ଜ୍ଜନ କରିଥିବା ସତ୍ୟବାଦୀ ମାଟି ଏବେ ଅପରାଧୀ ଓ ନିଶା ମାଫିଆଙ୍କ ଚରାଭୂଇଁ ପାଲଟିଲାଣି । ସଞ୍ଜ ନଇଁଲେ ଜାତୀୟ ରାଜପଥ କଡ଼ରେ ଥିବା ମଦ କାଉଂଟର ମାନଙ୍କରେ ଭିଡ଼ ଜମୁଛି । ରାସ୍ତା ଉପରେ ବାଇକ୍ ଓ କାର୍ ଗୁଡିକୁ ବେଆଇନ ଭାବେ ପାର୍କିଂ କରି ମଦ କିଣିବାକୁ କାଉଂଟରକୁ ଯାଉଛନ୍ତି ଲୋକେ । ଏଣେ ସେହି ରାସ୍ତା ଦେଇ ଯାଉଥିବା କୌଣସି ଗାଡି ଚାଳକ ସାଇଡ୍ ଦେବାକୁ କହିଲେ କିମ୍ବା ଏହାର ପ୍ରତିବାଦ କଲେ ଆରମ୍ଭ ହେଉଛି ଯୁକ୍ତି ତର୍କ, ଗାଳିଗୁଲଜ, ଧମକ, ଏପରିକି ପିଟିବାକୁ ପଛାଉ ନାହାଁନ୍ତି ମଦୁଆ । ରାସ୍ତା କଡ଼ ଫାଷ୍ଟଫୁଡ୍ ଦୋକାନରେ ସଂନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ଚାଲୁଛି ମଦ୍ୟପାନ । ଫଳରେ କୌଣସି ଭଦ୍ର ବ୍ୟକ୍ତି କିମ୍ବା ମହିଳା ମାନେ ଫାଷ୍ଟଫୁଡ୍ ଦୋକାନକୁ ଖାଇବାକୁ ଯିବା କିମ୍ବା ସେହି ରାସ୍ତା ଦେଇ ଯିବାବେଳେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଏତ ଗଲା ଫାଷ୍ଟଫୁଡ୍ ଦୋକାନ କଥା । ଏହା ବ୍ୟତୀତ ରୋଡ ସାଇଡ୍ ଅନ୍ଧାରିଆ ଜାଗା ଓ ମଦ କାଉଂଟର ଆଖପାଖରେ ଖୋଲାଖୋଲି ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ମଦ୍ୟପାନ । ଥାନା ଠାରୁ ୨୦୦ ମିଟର ଏରିଆ ଭିତରେ ଯଦି ସ୍ଥିତି ଏପରି ତେବେ ଏହି ଥାନା ଇଲାକାରେ ଆସୁଥିବା ଅନ୍ୟ ଅଂଚଳ ଗୁଡିକରେ ଆଇନଶୃଙ୍ଖଳାର ସ୍ଥିତି କିଭଳି ଥିବ ତାହା ସହଜେ ଅନୁମେୟ ।
ସେହିପରି ସାକ୍ଷିଗୋପାଳ ରେଳ ଷ୍ଟେସନ୍ କୁ ସଂଯୋଗ କରୁଥିବା ରାସ୍ତାରେ ଦିନ ରାତି ଗଞ୍ଜଡ଼ିଆଙ୍କ ଆଡ୍ଡା ଜମୁଛି । ସେଠାରେ ରହିଥିବା କେତେକ ଅପରିତ୍ୟକ୍ତ ରେଲୱେ କ୍ବାର୍ଟରକୁ ମଧ୍ୟ କବଜା କରି ରଖିଛନ୍ତି ଏହି ନିଶାଖୋରମାନେ । ଏସବୁ କ୍ଵାର୍ଟରରେ ଅସାମାଜିକ ମାନେ ଦଳବଦ୍ଧ ହୋଇ ଗଞ୍ଜେଇ ଟାଣିବା, ମଦ୍ୟପାନ କରିବା, ବ୍ରାଉନସୁଗାର ସେବନ, ପ୍ରତ୍ୟେହ ମଦ ମାଂସର ଆସର ଜମୁଥିବା ବେଳେ ଜି.ଆର.ପି. ଓ ଆର.ପି.ଏଫ. ମଧ୍ୟ ଆଖିବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି । ଏହାର ପ୍ରତିବାଦ କଲେ ଆକ୍ରମଣର ଭୟ ଥିବାରୁ ସାହାସ ଜୁଟାଇ ପାରୁନାହାଁନ୍ତି ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ।
ଅନୁରୂପ ଭାବେ ସାକ୍ଷିଗୋପାଳ ମନ୍ଦିର ପଛ ପାର୍ଶ୍ଵ ବକୁଳବନରେ ରହିଥିବା ସିମେଂଟ ବେଂଚ, ଯାତ୍ରୀ ବିଶ୍ରାମ ସ୍ଥଳ, ମୁକ୍ତାକାଶ ମଂଚ ଏବଂ ଏହା ମଧ୍ୟରେ ରହିଥିବା ପରିତ୍ୟେକ୍ତ ଗୃହ ଗୁଡିକରେ ଦିନ ଦ୍ଵି ପ୍ରହରରେ ଅସାମାଜିକଙ୍କ ମେଳି ଜମୁଛି । ପର୍ଯ୍ୟଟନର ବିକାଶ ପାଇଁ ଏସବୁ କରାଯାଇଥିବା ବେଳେ ରକ୍ଷଣାବେକ୍ଷଣା ଅଭାବରୁ ଏସବୁ ଉଜୁଡିଗଲାଣି । ରାଜ୍ୟ ଓ ରାଜ୍ୟ ବାହାରୁ ସାକ୍ଷିଗୋପାଳ ମନ୍ଦିର ଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ ସାଧାରଣତଃ ବକୁଳବନ (ଗୁପ୍ତ ବୃନ୍ଦାବନ) ବୁଲିବା ଲାଗି ଆଗ୍ରହ ପ୍ରକାଶ କରୁଥିବା ବେଳେ ଭିତରେ ଗଞ୍ଜେଇ ମେଳି, ନିଶାଶକ୍ତଙ୍କ ଆଡ୍ଡା ଏବଂ ବିଭିନ୍ନ ସ୍ଥାନରେ ମଦ ବୋତଲ, ବିୟର୍ ବୋତଲ, ଆସ୍କା ଫଟି ବୋତଲ, ପୋଡା ସିଗାରେଟ୍, ଚିଲମ ଆଦି ଦେଖି କୌଣସି ଅଘଟଣର ଆଶଙ୍କା କରି ଭୟଭିତ ଅବସ୍ଥାରେ ଫେରି ଯାଉଥିବା ପରିଲକ୍ଷିତ ହେଉଛି । ବକୁଳବନ ଭିତରେ ରହିଥିବା ପଚଂସଖାଙ୍କ ପ୍ରତିମୂର୍ତି ମଧ୍ୟରୁ ପୂର୍ବରୁ ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତିରୁ ଦୁର୍ବୃତ ମାନେ ମୁଣ୍ଡ କାଟିନେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଅନ୍ୟପକ୍ଷରେ ବକୁଳବନ ଠାରୁ ଅନତି ଦୂରରେ ରହିଥିବା ବକୁଳବାଟିକା, ପଚଂସଖା ପୀଠ, ପଚଂସଖା ପଡିଆରେ ମଧ୍ୟ ସଞ୍ଜ ନଇଁଲେ ମଦୁଆ, ଗଞ୍ଜଡ଼ିଆଙ୍କ ଆଡ୍ଡା ଜମୁଛି । ବିଶେଷ କରି ଏସବୁ ସ୍ଥାନରେ ପୋଲିସର ୨୪ ଘଂଟିଆ ପାଟ୍ରୋଲିଂର ଆବଶ୍ୟକତା ରହିଛି । ବେଳଥାଉଁ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ସଜାଗ ନହେଲେ କ୍ରାଇମ୍ ଜୋନ୍ ରେ ପରିଣତ ହେବ ସାକ୍ଷିଗୋପାଳ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ଜିଲ୍ଲା ଅବକାରୀ ଅଧିକ୍ଷକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।