ବାରିପଦା – ଆଜି କାର୍ତିକ ପୂର୍ଣ୍ଣିମା ବା ରାହାସପୂର୍ଣ୍ଣିମାରେ ପଂଚକ ବା ରାଇ-ଦାମୋଦର ବ୍ରତଧାରୀ ମହିଳାମାନେ ୫ ଦିନ ଧରି ପାଳନ କରିଆସିଥିବା ପଂଚକ ବ୍ରତ ଉଦଯାପିତ ହୋଇଛି । ଏହି ଅବସରରେ ଆଜି ପ୍ରତୁ୍ୟଷରେ ବାରିପଦା ପୌରପରିଷଦ ଉପକଣ୍ଠ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳ ସହ ବିଭିନ୍ନ ପୁଷ୍କରଣୀ, ଝରଣା ଆଦିରେ କଦଳୀ ପାଟିଆ, ସୋଲ, ଥର୍ମକୋଲ ଆଦିରେ ନିର୍ମିତ ବିଭିନ୍ନ ରଙ୍ଗ ବେରଙ୍ଗ ଡ଼ଙ୍ଗାରେ ପାନ , ଗୁଆ, ଦୀପ, ଫୁଲ ଦେଇ ଆ-କା-ମା ବୈ ଧ୍ୱନୀ ଓ ହୁଳହୁଳିରେ ଡ଼ଙ୍ଗା ଭସାଇଲେ ବ୍ରତଧାରୀ ମହିଳାମାନେ । ଏହାପରେ ମହାପ୍ରଭୂ ଜଗନ୍ନାଥ, ମା ଅମ୍ବିକା, ଶିରିଡ଼ି ସାଇ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଘରକୁ ଫେରିଯାଇଥିଲେ । ଏହା ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାକୁ ମଧ୍ୟ ମନେପକାଇ ଦେଇଥିଲା । ଏହି ସମୟରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାରଙ୍କ ନିଦେ୍ର୍ଧଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯିବା ସଙ୍ଗେ ସଂଗେ ବଡ଼ଦାଣ୍ଡରେ ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା । ଏଥିନିମନ୍ତେ ଟ୍ରାଫିକ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା ।
କାର୍ତିକ ସମସ୍ତ ମାସଠାରୁ ନିଆରା । ହୃଦୟରେ ଶୁଦ୍ଧତା, ପବିତ୍ରତାର ମନ୍ତ୍ର ଭରିଦେଇ ଥାଏ । ଧର୍ମର ମାସ କାର୍ତିକ । ଏହି ମାସର ଶେଷ ପାଂଚଦିନ ବ୍ରତଧାରୀମାନେ ପ୍ରାତଃ ସ୍ନାନ, ପୂଜାପାଠ, ହବିଷାନ୍ନ, ତୁଳସୀଚୌରାଠାରେ ମୁରୁଜର ଚିତା ସହ ଆକାଶ ଦୀପ, ଭୋଗରାଗ ଆଦି ଲଗାଇ ପୂଜାର୍ଚ୍ଚନା କରିଆସିବା ପରେ ପୂର୍ଣ୍ଣିମାରେ ଏହା ଉଦଯାପିତ ହୋଇଛି ଏବଂ ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୧୩ରେ ପାଳନ ହେବ ଛାଡ଼ ଖାଇ । ଛାଡ଼ଖାଇରେ ମାଛ, ଖାସି ଓ କୁକୁଡ଼ା ମାଂସର ବଜାର ହେବ ସରଗରମ । ପ୍ରତ୍ୟେକ ବର୍ଷ ଏହି ଦିନଠାରୁ ଖାସି ଓ କୁକୁଡ଼ା ମାଂସର ମୂଲ୍ୟରେ ୨୦/୩୦ ଟଙ୍କା ଲେଖାଏଁ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଆସୁଛି ।