ନୂଆଦିଲ୍ଲୀ/ଭୁବନେଶ୍ୱର, ୟୁପିଏସ୍ସି ଦ୍ୱାରା ପରିଚାଳିତ ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୁତି ଶର୍ମା । ତାଲିକାର ପ୍ରଥମ ଚାରିଟି ସ୍ଥାନରେ ଚାରି ଜଣ ଝିଅ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ ରହିଥିବା ବେଳେ ତୃତୀୟରେ ଜାମିନି ସିଂଗଲ ଓ ଚତୁର୍ଥରେ ଐଶ୍ୱର୍ଯ୍ୟା ବର୍ମା ରହିଛନ୍ତି ।
ଓଡ଼ିଶାରୁ ଅଙ୍କୁର ଦାସ ୫୨ତମ ସ୍ଥାନରେ ଥିବା ବେଳେ କାର୍ତିକ ପାଣିଗ୍ରାହୀ ୬୩ତମ ସ୍ଥାନରେ ରହିଛନ୍ତି । ସେହିପରି ଗୌରବ କୁମାର ଅଗ୍ରୱାଲ ୮୬ ନମ୍ବର ସ୍ଥାନରେ, ଦୁର୍ଗା ପ୍ରସାଦ ଅଧିକାରୀ ୨୦୫, ବିଶ୍ୱ ବିଶ୍ରୁତ ତ୍ରିପାଠୀ ୨୩୨, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬ ଓ ମାନସ ରଞ୍ଜନ ସାହୁ ୫୧୩ ନମ୍ବର ସ୍ଥାନରେ ରହିଛନ୍ତି ।
କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରଟିଭ୍ ସର୍ଭିସ୍(ଆଇଏଏସ୍), ୨୦୦ ଜଣ ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍ (ଆଇପିଏସ)୍ ଓ ୩୭ ଜଣ ଇଣ୍ଡିଆନ୍ ଫରେନ୍ ସର୍ଭିସ୍ (ଆଇଏଫ୍ଏସ୍) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଜାନୁଆରୀ ୨୦୨୨୨ରେ ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ୱାରା ଆୟୋଜିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ୱ ପରୀକ୍ଷା ନିମନ୍ତେ ଏପ୍ରିଲ୍-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତ୍କାରକୁ ଭିତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ଆଜି ପ୍ରକାଶ ପାଇଛି ।