
ବାରିପଦା – ସୋମବାର ପୂର୍ବାହ୍ନ ୧୧ଟା ସମୟରେ ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ମୁଖପାତ୍ର ସତ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦୀପ କୁମାର ପାତ୍ର, ସଞ୍ଜୟ ଅଗ୍ରୱାଲା, ତରୁଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ନନ୍ଦ କିଶୋର, ସୁବାଷ ଚନ୍ଦ୍ର ମଣ୍ଡଳ, ଶିବ ଶଙ୍କର ସାହୁ, ମହେନ୍ଦ୍ର ସିଂ, ଅରୁଣ ସରକାର, ମଙ୍ଗଳ ଭୌମିକ, ସୁଦାମ ଗିରି, ସତ୍ୟେନ୍ଦ୍ର ପ୍ରସାଦ, ଶଙ୍କର କର, ପ୍ରିୟବ୍ରତ ଦାସ, ସ୍ୱରୂପ ମହାପାତ୍ର, ତାପସ ସାହୁ, ରବୀନ୍ଦ୍ର ପାଢ଼ୀ, ତ୍ରିଲୋଚନ ଗିରି, ସନ୍ତୋଷ ସାହୁ, ଅମର ପଟ୍ଟନାୟକ, ରଞ୍ଜିତ ସାହୁ, ସୁବ୍ରତ ପାତ୍ର, ସନ୍ଦୀପ ପତି, ଅଶୋକ ବେହେରା, ଶ୍ରବଣ ଗୋପ, ଗୋପାଳ ପାତ୍ର, ରାଜୀବ ଜେନା ପ୍ରମୁଖ ଗ୍ରାମ୍ୟ ଉନ୍ନୟନ ଓ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଚଳିତ ନଭେମ୍ବର ୧ ଠାରୁ ୨୦୧୪ରେ ସ୍ଥିରିକୃତ ସିଡ଼୍ୟୁଲ ରେଟକୁ ୨୦୧୯ରେ ବର୍ଦ୍ଧିତ ମୂଲ୍ୟ ଭିତିରେ ପୁନଃ ଆକଳନ କରାଯିବା, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ଼ ଡ଼ାଟା ବୁକର ତୁରନ୍ତ ପ୍ରଚଳନ କରାଯିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ପ୍ରଚଳିତ ୧୪.୯୯ ଲେସ ପ୍ରଥା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା, ଉଚ୍ଚ ନ୍ୟାୟାଳୟ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶନାମା ଅନୁସାରେ ଠିକାଦାରମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା, ଶ୍ରମିକମାନଙ୍କ ମଜୁରୀର ଉଚିତ ନିର୍ଦ୍ଧାରଣ ସହ ଠିକାଦାରମାନଙ୍କୁ ତତ୍ସମ୍ପର୍କିତ ପ୍ରାପ୍ୟ ପ୍ରଦାନ କରାଯିବା, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, କୌଣସି ବାହ୍ୟ ସର୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁସାରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା, ପୂର୍ବ ବ୍ୟବସ୍ଥା ଅନୁସାରେ ବିଭିନ୍ନ ସଂଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ କରାଯିବା ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲିଟି ରସିଦ୍ ଦାଖଲ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆଦି ୧୦ ଦଫା ଦାବି ପୂରଣ ନିମନ୍ତେ ଆସୋସିଏସନ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଆସୁଥିବା ସମୟରେ ଆଜି ଗ୍ରାମ୍ୟ ଉନ୍ନୟନ ଓ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ସରକାର ଠିକାଦାର ସଂଘର ଦାବି ପୂରଣ ନିମନ୍ତେ କର୍ଣ୍ଣପାତ କରୁନଥିବାରୁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବା ସଂଗେସଂଗେ ଜିଲ୍ଲାର ସଦର ମହକୁମା ଏବଂ ସମସ୍ତ ଉପଖଣ୍ଡସ୍ତରରେ ରହିଥିବା ସୁବର୍ଣ୍ଣରେଖା ଇରିଗେସନ, ମୟୂରଭଞ୍ଜ , ମାଇନର ଓ ଲିଫ୍ଟ ଇରିଗେସନ, ଆରଡବ୍ଲ୍ୟୁଏସଏସ, ପିଡବ୍ଲ୍ୟୁଡି, ମ୍ୟୁନିସିପାରିଲିଟି, ଆରଡ଼ି, ଏନଏସି ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଘେରାଉ କରାଯାଇ କାମକାର୍ଯ୍ୟକୁ ଠପ୍ କରାଇ ଦିଆଯିବ ବୋଲି ଆସୋସିଏସନର ମୁଖପାତ୍ର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।