
ପୁରୀ, ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ରଥ ଖଳାରେ ଆସନ୍ତାକାଲି ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ମାନେ ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାପ ପାଇଁ ପୁଷ୍କରିଣୀ ଓ ନନ୍ଦା, ଭଦ୍ରା ନୌକା ପ୍ରସ୍ତୁତ ହୋଇ ରହିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ । ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।