ଭଦ୍ରକ – ଗତ ଦୁଇଦିନ ତଳେ ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଅର୍ଜୁନପୁର ପୋଲ ନିକଟରୁ ଉଦ୍ଧାର ହୋଇ ଧାମନଗର ଓ ଭଦ୍ରକ ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର ହୋଇଥିବା ଅଚିହ୍ନା ନାବାଳିକାର ପରିଚୟ ମିଳିଥିବା ବେଳେ ତାର ପିତାଙ୍କ ପକ୍ଷରୁ ଏକ ହତ୍ୟା ମାମଲା ମଙ୍ଗଳପୁର ଥାନାରେ ରୁଜୁ ହୋଇଛି । ତେବେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଯାଜପୁର ଜିଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ମିର୍ ସରାଫତଙ୍କ ଝିଅ ତବସୁମ ଖାତୁନ(୧୫)କୁ ସଂଜ୍ଞାହୀନ ଅବସ୍ଥାରେ ଗତ ଦୁଇଦିନ ତଳେ ଧାମନଗର ଅର୍ଜୁନପୁର ପୋଲ ନିକଟରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ମୁଣ୍ଡ,ମୁହଁ ସମେତ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ତେବେ ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଡାକ୍ତରଖାନା ଆଣିବା ପରେ ଚିକିତ୍ସା କରାଯାଇଥିଲା । ଯୁବତୀଟିର ସଂକଟାପନ୍ନ ଅବସ୍ଥା ଦେଖି ଧାମନଗର ଡାକ୍ତରମାନେ ତାକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଶେଷ ମୁହୂର୍ତରେ କଟକ ଡାକ୍ତରଖାନା ପଠାଯାଇଥିଲା । ତେବେ ଏ ସଂପର୍କରେ ପିତାଙ୍କ ନିକଟରୁ ମିଳିଥିବା ସୂତ୍ର ଅନୁସାରେ ତବସୁମ୍ ୯ମ ଶ୍ରେଣୀରେ ପଢେ । ସେ ଟ୍ୟୁସନ ଯାଇଥିବାବେଳେ ଧାମନଗର ଅଂଚଳର କେତେକ ଯୁବକ ତାକୁ ଏକ ସିବିଜେଡ୍ ବାଇକ୍ରେ ଅପହରଣ କରିନେଇଥିଲେ । ତେବେ ଅହିୟାସ ଅଂଚଳର କେତେକ ଯୁବକ ସେମାନଙ୍କୁ ପିଛା କରିବାରୁ ଅପହରଣ କାରୀମାନେ ଦୃତ ଗତିରେ ଧାମନଗରକୁ ଆସୁଥିବାବେଳେ କମାଲପୁର ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ତବସୁମ ଗୁରୁତର ହୋଇ ସେଠାରେ ଅଚେତ୍ ଅବସ୍ଥାରେ ପଡିଥିଲେ । ପରେ ଧାମନଗର ହବିବନଗରର ସେକ୍ ବିଦେଶୀଙ୍କ ପୁଅ ସେକ୍ ନନୋ ଏବଂ ତାଙ୍କର ସହଯୋଗୀ ତାକୁ ଦେଖି ପ୍ରଥମେ ଧାମନଗର ଡାକ୍ତରଖାନା ଛାଡି ଫେରାର ହୋଇଯାଇଥିଲେ । ତେବେ ଦାୟିତ୍ୱରେ ଥିବା ଡାକ୍ତର କୌଶଳ କ୍ରମେ ସଂପୃକ୍ତ ଯୁବକଙ୍କ ଫଟୋ ନିଜ ମୋବାଇଲ୍ରେ ଉତୋଳନ କରିନେଇଥିଲେ । ମୋଟ ଉପରେ ଏହି ଘଟଣାଟି ରହସ୍ୟ ଜନକ ଥିବାରୁ ମଙ୍ଗଳପୁର ଓ ଧାମନଗର ପୁଲିସ୍ ଅଧିକ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ଏହି ଘଟଣା ପରେ ନନୋ ଫେରାର ହୋଇଯାଇଛି । ତାକୁ ପୁଲିସ୍ ଧରିଲେ କେଉଁମାନେ ସଂପୃକ୍ତ ଅଛନ୍ତି ଓ ମୃତ୍ୟୁର କାରଣ ସହ ପ୍ରକୃତରେ ବାଇକ୍ଟି ଦୁର୍ଘଟଣା ଘଟିଥିଲା ନା ଅନ୍ୟ କିଛି କାରଣ ରହିଛି, ତାହା ଜଣାପଡିଛି । ଏହି ଘଟଣାରେ ତବସୁମଙ୍କ ପିତା ମଙ୍ଗଳପୁର ଥାନାରେ କରିଥିବା ଅଭିଯୋଗ ମୂଳେ ତାଙ୍କ ଝିଅକୁ ଧାମନଗର ଅଂଚଳର କେତେକ ଯୁବକ ଅପହରଣ କରି ହତ୍ୟା କରିଛନ୍ତି ବୋଲି ଦର୍ଶାଇଛନ୍ତି ।
Related Stories
October 15, 2024