ଭୁବନେଶ୍ୱର – ୪ ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାର ଦଶଟି ବ୍ଲକ ମଧ୍ୟରେ ଥିବା ୧୯୦ଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୧୭୫ଜଣ କର୍ମଚାରୀ, ପିଅନ, ରାତ୍ର ଜଗୁଆଳି ଓ ଝାଡ଼ୁଦାରମାନଙ୍କୁ ନେଇ ପୁରୁଣା ଭୁବନେଶ୍ୱରସ୍ଥ ଡ଼ାଲମିଆ ଧର୍ମଶାଳା ଠାରେ ଜିଲ୍ଲା ସଭାପତି ରାକେଶ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଗ୍ରାମ ପଂଚାୟତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସୁବତ୍ର କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ଗ୍ରାମ ପଂଚାୟତରେ ବହୁଦିନ ଧରି ସ୍ୱଳ୍ପ ପାରିଶ୍ରମିକ ସରପଂଚଙ୍କ ହାତଟେକା ଟଙ୍କା ପାଇ କାର୍ଯ୍ୟ କରୁଥିବା ମାସକୁ ୧୦୦ରୁ ୫୦୦ ଟଙ୍କା ଅତି ବେଶୀରେ ୧୫୦୦ଟଙ୍କା ପାଇ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ସଂଘ ନାପସନ୍ଦ କରୁଛି । କାରଣ ଓଡ଼ିଶା ଗ୍ରାମ ପଂଚାୟତ ରୁଲ୍ ୧୨୫, ୨୦୧୪ ମସିହା ନିୟମକୁ ଆଜି ପର୍ଯ୍ୟନ୍ତ ପରିବର୍ତନ କରାଯାଇ ନଥିବା ତଥା ସଂଶୋଧନ ହୋଇନଥିବାରୁ ଏହି କର୍ମଚାରୀମାନେ ପଂଚାୟତିରାଜ ବିଭାଗର ବିଧି ବ୍ୟବସ୍ଥାରେ ସ୍ଥାୟୀ ମାନ୍ୟତା ପାଇପାରି ନାହାଁନ୍ତି ଓ ସମାନ କାମକୁ ସମାନ ଦରମା ପାଇବାରୁ ବଂଚିତ ହୋଇଛନ୍ତି । ଭବିଷ୍ୟତକୁ ଆଶାରଖି ରାଜ୍ୟ ରାଜକୋଷରୁ ଦରମା ପାଇବା ପାଇଁ ଏହି କର୍ମଚାରୀମାନେ ଅନ୍ୟ ବିଭାଗ ଭଳି ସମାନ ଭାବେ ଅନୁରୂପ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସକାଳ ୧୦ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ କରି ଆସୁଛନ୍ତି । ହେଲେ ଏମାନଙ୍କର ଦୁଃଖ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ସୁବିଚାର କରି ଯଥାଶୀଘ୍ର ଗ୍ରାମ ପଂଚାୟତ ରୁଲ୍ ୧୨୫, ୨୦୧୪ମସିହା ନିୟମକୁ ସଂଶୋଧନ କରି କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ବା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବା ନିମନ୍ତେ ସଂଘ ତରଫରୁ ଦୃଢ଼ ଦାବି କରାଯାଇଅଛି । ଯଦି ଆମ୍ଭର ଏହି ଦାବିକୁ ପୂରଣ କରାନଯାଏ ଏପରିକି ରାଜ୍ୟ ରାଜକୋଷରୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ୬,୭୯୮ ଗ୍ରାମ ପଂଚାୟତର ୮,୮୨୧ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଉକ୍ତ ସଭାରେ ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଚନ୍ଦନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 2, 2024