ମାଲକାନଗିରି, ସ୍ୱାଭିମାନ ଅଞ୍ଚଳରେ ହେବ ନିର୍ବାଚନ । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରତିଦ୍ବନ୍ଦୀ ଓ ଭୋଟରଙ୍କ ମନରେ ଖୁସିର ମାହୋଲ୍ ଦେଖାଦେଇଛି । ଜିଲ୍ଲାର ବିଛିନ୍ନାଞ୍ଚଳ ଦିନେ ମାଓବାଦୀଙ୍କ କବଜାରେ ଥିଲା । ମାଓ ଭୟରେ ଥରିଉଠୁଲା ସାରା ଅଞ୍ଚଳ । ଭୟର ବାତାବରଣରେ ଦିନ କାଟୁଥିଲେ ୧୫୧ ଟି ଗାଁର ଲୋକ । ଯାହା ଫଳରେ ଏହି ଅଞ୍ଚଳରେ ୨0୧୭ ମସିହାରେ ନିର୍ବାଚନ ହୋଇପାରିନଥିଲା ।ନିର୍ବାଚନରେ ଭାଗନେଲେ କିମ୍ବା ଭୋଟ୍ ଦେଲେ ପ୍ରଜାକୋର୍ଟରେ ମିଳୁଥିଲା ମୃତ୍ୟୁ ଦଣ୍ଡ । ନଚେତ୍ ଗାଁ ଛାଡି ଚାଲିଯିବାକୁ ମାଓବାଦୀ ଦେଉଥିଲେ ଚେତାବନୀ । କିଛି ଗ୍ରାମବାସୀ ମାଓବାଦୀଙ୍କ ଭୟରେ ଗାଁ ଛାଡି ଅନ୍ୟତ୍ର ବି ଚାଲିଯାଇଛନ୍ତି । ଫଳରେ ଜନସାଧାରଣ ବାଛିପାରୁ ନଥିଲେ ଲୋକପ୍ରତିନିଧି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ନିର୍ବାଚନ ଆସିଥିବାରୁ ଲୋକଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା । ଏବେ ସେମାନଙ୍କ ଖୁସି ଭୟରେ ପରିଣତ ହେବାକୁ ଯାଉଛି । ମାଓବାଦୀ ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇ ନିର୍ବାଚନରେ ଛିଡା ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରି ଯିବାକୁ ଚେତାବନୀ ଦିଆଯାଇଛି । ନହେଲେ ପରିଣାମ ଭୋଗିବାକୁ ପଡିବ ବୋଲି ଲେଖାଯାଇଛି । ଏହା ଜାଣିବା ପରେ ଅଞ୍ଚଳରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ମାନେ ଭୟ ଓ ଆତଙ୍କ ମଧ୍ୟରେ ରହିଥିବା ଶୁଣିବାକୁ ମିଳିଛି ।