ଭୁବନେଶ୍ୱର – ସାହିତ୍ୟିକମାନେ ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସାମାଜିକ ପରିବର୍ତନର ବାର୍ତାବହ ହୁଅନ୍ତୁ । ଅନ୍ୟାୟ, ଅନୀତି ବିରୋଧରେ ସେମାନେ ନିର୍ଭୀକ ଭାବେ ସ୍ୱର ଉତୋଳନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । \nନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ୧୯ତମ ବାର୍ଷିକୋତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦଘାଟକ ଭାବେ ଯୋଗଦେଇ କହିଲେ ଯେ, ସାହିତ୍ୟିକମାନଙ୍କ କଲମ ବହୁ ଲୋକଙ୍କୁ ପ୍ରେରଣା ଯୋଗାଇ ଦେଇଥାଏ । ପ୍ରତିଭାମାନଙ୍କୁ ଚିହ୍ନଟ କରି ଗୋଟିଏ ପ୍ଲାଟଫର୍ମକୁ ସେମାନେ ଆଣିପାରିଲେ ଏହା ଏକ ମହତ କାର୍ଯ୍ୟ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସାହିତ୍ୟ ଜୀବନରେ ଶାନ୍ତି ଆଣିଦେଇଥାଏ । ଓଡ଼ିଆ ଜାତିର ବୀରତ୍ୱର ଗାଥା ବର୍ଣ୍ଣନା କରିବା ସହ ସାହିତ୍ୟିକମାନେ ନିର୍ଭୀକ ଭାବେ ଲେଖନୀ ଚାଳନା କରିବାକୁ ଆହ୍ୱାନ ଜଣାଇଛନ୍ତି । ହୀନମନ୍ୟତାରୁ ଦୂରରେ ରହି ଓଡ଼ିଆ ଜାତି ସର୍ବଭାରତୀୟସ୍ତରରେ ପ୍ରତିଭାର ପରିଚୟ ଦେବା ଉଚିତ ବୋଲି ସେ କହିଥିଲେ । \nନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରି କହିଲେ ଯେ, ସମାଜକୁ ଗତିଶୀଳ କରାଇବାରେ ସାହିତ୍ୟିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ । ଦୁଃଖ, ଦୈନ୍ୟ, ଦାରିଦ୍ର୍ୟ ଓ ଶୋଷଣର ଶୀକାର ହୋଇଥିବା ପ୍ରପୀଡ଼ିତ ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରଗତିଶୀଳ ଲେଖକ ସମାଜ ନିଜର ଦୁର୍ବାର ଲେଖନୀ ଚାଳନା କରନ୍ତୁ ବୋଲି କହିଥିଲେ ।
ଏହି ଉତ୍ସବରେ ବିଜେପିର ବରିଷ୍ଠ ନେତା ବାବୁ ସିଂହ, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ କବି ନିରାକାର ଦାସ, ବିଶିଷ୍ଟ କବି ଶ୍ରୀମତୀ କିରଣବାଳା ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟିକମାନଙ୍କର ଗୁଣାବଳୀ ସଂପର୍କରେ ଆଲୋକପାତ କରିଥିଲେ । ମହାସଂଘର ଉପସଭାପତି ଡଃ ବୈରାଗୀ ପଟ୍ଟନାୟକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଗତିଶୀଳ ଲେଖକ ମହାସଂଘର ସମ୍ପାଦକ କଣ୍ଡୁରୀ ଚରଣ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ପ୍ରଗତିଶୀଳ ଲେଖକ ମହାସଂଘର ବରିଷ୍ଠ ଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଜଟଣୀର ସାଂସ୍କୃତିକ ଅନୁଷ୍ଠାନ ‘ସମ୍ପର୍ଣ୍ଣା’ ପକ୍ଷରୁ କୁନିକୁନି ପିଲାମାନେ ‘ବନ୍ଦେ ମାତରମ’ ଗାନ କରିଥିଲେ ।
ଏହି ଉତ୍ସବରେ ପରମବ୍ରହ୍ମ ତ୍ରିପାଠୀଙ୍କୁ ‘କବି ବିଭୂଦତ ମିଶ୍ର ସ୍ମୃତି ସମ୍ମାନ’, ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କୁ ‘କବି ଏକାଦଶୀ ବୋଇତାଇ ସ୍ମୃତି ସମ୍ମାନ’, ବାସୁଦେବ ହୋତାଙ୍କୁ ‘କବି ନରସିଂହ ନନ୍ଦ ସ୍ମୃତି ସମ୍ମାନ’, ଗଣେଶ ବାରିକଙ୍କୁ ‘ଚିତ୍ରଶିଳ୍ପୀ ଅସୀମ ବସୁ ସ୍ମୃତି ସମ୍ମାନ’, ରୋଟାରିଆନ ଇଂ ବସନ୍ତ କୁମାର ଦାନୀଙ୍କୁ ‘ସମାଜସେବା ସମ୍ମାନ’, ଦିପ୍ତୀପ୍ରଭା ରଥଙ୍କୁ ‘କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକ ସ୍ମୃତି ସମ୍ମାନ’, ଫକୀର ବାଡ଼ାଙ୍କୁ ‘ଗାୟକ ମାନସ ଉପାଧି’, ପ୍ରଫେସର ବିଜୁନି ଚରଣ ସୂତାରଙ୍କୁ ‘ଶ୍ରେଷ୍ଠ ଶିକ୍ଷକ ସମ୍ମାନ’, ରାଜକିଶୋର ମହାପାତ୍ରଙ୍କୁ ‘ଉକ୍ରଳମଣି ଗୋପବନ୍ଧୁ ସେବା ସମ୍ମାନ’, ନରେନ୍ଦ୍ର ବାରିକଙ୍କୁ ‘ଗାୟକ ପାରିଜାତ ଉପାଧି’, କୃଷ୍ଣଚନ୍ଦ୍ର ଝପଟସିଂଙ୍କୁ ‘ରାମନାଟକ ଗୁରୁ ସମ୍ମାନ’, ଶିବଶଙ୍କର ଜେନାଙ୍କୁ ‘ସମାଜସେବା ସମ୍ମାନ’, ସୁଶ୍ରୀ ଅର୍ପିତା ନନ୍ଦଙ୍କୁ ‘କବିତା ସମ୍ମାନ’, ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ର କ୍ରାଇମ ରିପୋର୍ଟର ସମ୍ବିତ ବେହେରାଙ୍କୁ ‘ନାରଦ ସମ୍ମାନ’ ଏବଂ କନକମଞ୍ଜରୀ ବ୍ରଜବନ୍ଧୁ(କେଏମବିବି) ଜୁନିୟର କଲେଜକୁ ‘ଶ୍ରେଷ୍ଠ ଆବାସିକ ମହାବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯାଇଥିଲା । ମହାସଂଘ ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହିତ ସୂର୍ଯ୍ୟମହାନ୍ତିଙ୍କ ଲିଖିତ ‘କିଛି ସ୍ମୃତି କିଛି ଅନୁଭବ’ ପୁସ୍ତକକୁ ଶ୍ରୀମତୀ ଷଡ଼ଙ୍ଗୀ ଓ ଶ୍ରୀ ରାଉତରାୟ ଉନ୍ମୋଚନ କରିଥିଲେ । କବିତା ପାଠୋତ୍ସବକୁ ପରମବ୍ରହ୍ମ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଗୋଲକ ବିହାରୀ ନାୟକ, କବି ସୂର୍ଯ୍ୟ ମହାନ୍ତି ଓ ଅଧ୍ୟାପିକା ସୌଦାମିନୀ ବେହେରା ପ୍ରମୁଖ ସଂଯୋଜନା କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୫୦ରୁ ଊଦ୍ଧ୍ୱର୍ କବି ତାଙ୍କର ନିଜସ୍ୱ କବିତା ଆବୃତି କରିଥିଲେ ।