ମାଲକାନଗିରି, ମାଲକାନଗିରି ଜିଲାରେ ପୁଲିସ ପକ୍ଷରୁ ସବୁଜ ଜହର ସଫା ଅଭିଯାନ ( ଅପରେସନ ଗ୍ରୀନ୍ କ୍ଲିନ୍ ) ଜାରି ରହିଛି । ମାଓବାଦୀଙ୍କ ଧମକ ଏବଂ ଆଦିବାସୀଙ୍କ କଡ଼ା ବିରୋଧ ସତ୍ତ୍ଵେ ଦମନ କାର୍ଯ୍ୟ ଚାଲିଛି । ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷକୁ ଗତ ୧୦ ଦିନ ମଧ୍ୟରେ କାଟି ନଷ୍ଟ କରାଯାଇଛି । ଗତ କିଛିଦିନ ତଳେ ସବୁଜ ଜହର ସଫା ଅଭିଯାନକୁ ସ୍ବାଭିମାନ ଅଞ୍ଚଳରେ ଆଦିବାସୀ ବିରୋଧ କରିଥିଲେ । ମାଓ ସଂଗଠନ ପକ୍ଷରୁ ମଧ୍ୟ ଏକ ଧମକପୂର୍ଣ୍ଣ ପତ୍ର ଜରିଆରେ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରି ତାଙ୍କୁ ଅନ୍ୟ କୃଷି ସମ୍ବନ୍ଧୀୟ ପ୍ରୋତ୍ସାହନ ନ ଦେଇ ଗଞ୍ଜେଇ ଗଛକୁ ପ୍ରୋତ୍ସାହନ କରିବା ପାଇଁ ଉଲ୍ଲେଖ କରିଥିଲେ ତଥାପି ମାଲକାନଗିରି ଜିଲା ପୁଲିସ ପକ୍ଷରୁ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଅଦ୍ୟାବଧି ୧୦୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଚିତ୍ରକୋଣ୍ଡା, ମୁଦୁଲିପଡା, କୁଡୁମୁଲୁଗୁମ୍ମା, ମାଥିଲି, ଓର୍କେଲ ଥାନା ଅଞ୍ଚଳରେ ଏହି ସବୁ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।
ଅନ୍ୟପକ୍ଷରେ ଆଦିବାସୀମାନେ ଏହି ଚାଷକୁ ପାରମ୍ପରିକ ଚାଷ ଭାବେ ନେଇଛନ୍ତି । ସଚେତନତା ଅଭାବରୁ ଏଭଳି ଚାଷ କାର୍ଯ୍ୟ କରୁଛନ୍ତି । ଏଥିରେ ମୂଳ ବ୍ୟବସାୟୀଙ୍କୁ ପୁଲିସ ଧରିବାରେ ବିଫଳ ହେଉଛି । ଯେଉଁ ବ୍ୟବସାୟୀ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଚାଷ କାମ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର୍ ଧରିଛି ।