ମାଲକାନଗିରି, ଦୀର୍ଘ ୩୬ ବର୍ଷ ଧରି ସୁଦୂର ଭଦ୍ରକ ଜିଲାରୁ ଆସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ଶିକ୍ଷାଦାନ ସହ ସେମାନଙ୍କ ସ୍ବାସ୍ଥ୍ୟ, ପୋଷାକ, ପରିବେଶ, ଖାଦ୍ୟପେୟ, ଆଚାର ଉଚ୍ଚାରଣ ବ୍ୟବହାର ଇତ୍ୟାଦି ଶିକ୍ଷା ଦେଇ ଚର୍ଚ୍ଚାରେ ଥିବା ଗୋରାଖୁଣ୍ଟା ବିଦ୍ୟାଳୟର ଆଦର୍ଶ ଶିକ୍ଷକ ନାରାୟଣ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି ଅଭିଭାବକ । ଏହି ଅବସରରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଛି । ଚାକିରି କାଳ ମଧ୍ୟରେ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ନିଜ ପ୍ରଚେଷ୍ଟା ଏବଂ ଆର୍ଥିକ ସହାୟତା ଦେଇ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରାଇବା ସହ ପାଞ୍ଚଜଣ କୋୟା ସମ୍ପ୍ରଦାୟର ଛାତ୍ରୀଙ୍କୁ ଭୁବନେଶ୍ବରରେ ଇଞ୍ଜିନିୟରିଂ ପାଠ ପଢାଉଛନ୍ତି ଏହି ଶିକ୍ଷକ । ପ୍ରତି ଅଭିଭାବକଙ୍କ ସହ ସୁସମ୍ପର୍କ ଏବଂ ଶିକ୍ଷା ସମ୍ବନ୍ଧରେ ସଚେତନ କରିବା ସହ ବିଦ୍ୟାଳୟକୁ ପରିଷ୍କାର ପରିଛନ୍ନ ରଖି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସେ ଥିଲେ ପାରଙ୍ଗମ । ଜଣେ ଅନାଥ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ନିଜ ପାଖରେ ରଖି ପାଠ ପଢ଼ାଉଥିବାବେଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହେବା, ତାଙ୍କର ବଦଳି ପରେ ତାଙ୍କୁ ଫେରାଇ ଆଣିବାକୁ ଛାତ୍ରୀ ଜଣକ ଆକୁଳ ନିବେଦନ କରିବା ଏବଂ ଛାତ୍ରୀର ନିବେଦନ ପରେ ତତ୍କାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ପୃକ୍ତ ଶିକ୍ଷକ ନାରାୟଣ ନାୟକଙ୍କ ବଦଳି ବାତିଲ୍ କରିବା ଘଟଣା ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅଭିଭାବକ ଓ ଗ୍ରାମବାସୀ ଏକ ଶୋକାକୁଳ ପରିବେଶରେ ତାଙ୍କୁ ବିଦାୟ ଦେଇଛନ୍ତି । ଶତାଧିକ ଛାତ୍ରଛାତ୍ରୀ ତାଙ୍କୁ ପୂଜା କରିବା ସହ ଗାଁର ମହିଳା ଓ ପୁରୁଷମାନେ ଭାବବିହ୍ବଳ ବିଦାୟ ଦେଇଛନ୍ତି ।
ଏଭଳି ଏକ କାର୍ଯ୍ୟକ୍ରମରେ ଗୋରାଖୁଣ୍ଟା ସରପଞ୍ଚ ଏରା ପଡିଆମୀ, ଜିଲାପରିଷଦ ସଭ୍ୟ ଦେବୀ ମାଡି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଦ୍ରା ମାଢି, ଗ୍ରାମ ମୁଖିଆ ସୋମା ମାଡକାମୀ, ଗୋରାଖୁଣ୍ଟା ପଞ୍ଚାୟତ ସିଆରସିସି ମଧୁମଙ୍ଗଳ ସରକାର, ଶିଖପାଲ୍ଲି ପଞ୍ଚାୟତ ସିଆରସିସି ଶ୍ରୀକାନ୍ତ କବିରାଜ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମାଢି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।