ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ପିଇଓୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ଏହା ପରେ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ପ୍ରତିବାଦ ସଭାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଶିବାନନ୍ଦ ରାୟ , ସନ୍ଧ୍ୟା ମହାପାତ୍ର , ପଦ୍ମାକର ଗୁରୁ ପ୍ରମୁଖ ସାମିଲ ଥିଲେ ।
ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ଖସାଇ ଦେବାକୁ ଚେଷ୍ଟା କରାଯାଉଛି । ସେମାନେ ସରକାରୀ ଦଳର ଲୋକ । ସେଥିପାଇଁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି । ତେବେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ । ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିବାର ଥିଲା, ତାହାହେଲେ ସେ ଗେଷ୍ଟହାଉସରେ ଯାଇକି କାହିଁକି ଆତ୍ମହତ୍ୟା କଲେ? ତାଙ୍କୁ ଗେଷ୍ଟ ହାଉସକୁ ଡକାଯାଇ ତାଙ୍କ ସହ ଏପରି କିଛି ଘଟଣା ଘଟିଛି, ସେ ଏପରି କରିଛନ୍ତି । ଯଦି ସେ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି, ଏହି ବିଷୟରେ ସଙ୍ଗେସଙ୍ଗେ ପୋଲିସକୁ ଜଣାଇବାର ଥିଲା । ତାହା ନକରି ତାଙ୍କୁ ହସପିଟାଲକୁ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।